ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ସସପେନ୍ସ ଜାରି : ବିଜୟ ମୁହାଁ ଜୋ ବାଇଡେନ; ଭୋଟ ବ୍ୟବଧାନ କମିବାରୁ ଜର୍ଜିଆରେ ପୁଣି ଭୋଟ ଗଣନା ପାଇଁ ଘୋଷଣା

 କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତା ଉପରେ ସାରା ବିଶ୍ୱର ନଜର 

235

କନକ ବ୍ୟୁରୋ : ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ଏନେଇ ସସପେନ୍ସ ଏବେ ବି ଜାରି ରହିଛି । ଭୋଟ ଗଣତିରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ-ବାଇଡେନରେ ପଲା ଭାରି ରହିଛି । ଜର୍ଜିଆ ଓ ପେନସିଲବେନିଆରେ ଟ୍ରମ୍ପଙ୍କ ଠାରୁ ଆଗୁ ହୋଇଥିବାରୁ ବାଇଡେନଙ୍କ ବିଜୟ ସମ୍ଭାବନା ଧିରେ ଧିରେ ଉଜ୍ୱଳ ହେଉଛି । ଏବେ ୪ଟି ରାଜ୍ୟର ଫଳାଫଳ ନିଷ୍ପତି ନେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ । ସେହି ୪ ରାଜ୍ୟ ହେଲା ପେନସିଲବେନିଆ, ଜର୍ଜିଆ, ନର୍ଥ-କରୋଲିନା ଓ ଏରିଜୋନା । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ବିଳମ୍ବ ହେଉଥିବା ଜଣାପଡିଛି । ତେବେ ଜର୍ଜିଆରେ ପୁଣି ଥରେ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି ।

ଜର୍ଜିଆରେ ବାଇଡେନ ଅଳ୍ପ ଭୋଟ ବ୍ୟବଧାନରେ ଟ୍ରମ୍ପଙ୍କ ଠାରୁ ଆଗୁଆ ରହିଛନ୍ତି । ତେଣୁ ନିରପେକ୍ଷ ଭାବେ ପୁଣି ଥର ଭୋଟ ଗଣତି କରାଯିବ ବୋଲି କହିଛନ୍ତି ଜର୍ଜିଆର ସଚିବ ପର୍ଗର । ଜର୍ଜିଆକୁ ରିପବ୍ଲିକାନ ପାର୍ଟିର ଗଡ ବୋଲି କୁହାଯାଉଥିବାରୁ ପୁଣି ଥରେ ଭୋଟ ଗଣତି ହେଲେ ଟ୍ରମ୍ପ ଆଗୁଆ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ତେବେ ରିପବ୍ଲିକାନ ପାର୍ଟିର ଗଡ ଜର୍ଜିଆରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ବାଇଡେନ ଆଗୁଆ ରହିବା ସୂଚାଉଛି, ରିପବ୍ଲିକାନ ପାର୍ଟିର ପକେଟ ଭୋଟରେ ବାଇଡେନ ସିନ୍ଧି କରିଛନ୍ତି । ତେଣୁ ଆଗାମୀ ରାଷ୍ଟ୍ରପତି ବାଇଡେନ ହେବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ଜର୍ଜିଆ ଛଡା ପେନସିଲଭାନିଆରେ ମଧ୍ୟ ଟ୍ରମ୍ପଙ୍କଠାରୁ ଟପିଯାଇଛନ୍ତି ବାଇଡେନ୍ । ଯେକୌଣସି ଗୋଟିଏ ରାଜ୍ୟରେ ବିଜୟ ହାସଲ କଲେ ବାଇଡେନଙ୍କୁ ବହୁମତ ସଂଖ୍ୟା ମିଳିଯିବ । ଶେଷ ଖବର ଅନୁସାରେ ବାଇଡେନ୍ ୨୬୪ ଆସନରେ ବିଜୟୀ ହୋଇଥିବାବେଳେ ଟ୍ରମ୍ପ ୨୧୪ ଆସନ ଦଖଲ କରିଛନ୍ତି । ବହୁମତ ପାଇଁ ୨୭୦ ଆସନରେ ବିଜୟ ଆବଶ୍ୟକ । ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଅଭିଯୋଗ କରିଛନ୍ତି, ଯେ ଡେମୋକ୍ରାଟ ଦଳଙ୍କ ଦ୍ୱାରା ଭୋଟ ଚୋରି କରାଯାଉଛି । ଟ୍ରମ୍ପଙ୍କ କିଛି ସମର୍ଥକ ମଧ୍ୟ ଗଣତି ଚାଲିଥିବା ରାଜ୍ୟ ଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜର୍ଜିଆ ଓ ମିଚିଗାନରେ ଭୋଟ ଗଣତି ବନ୍ଦ କରିବା ପାଇଁ ଟ୍ରମ୍ପଙ୍କ ଆବେଦନ କୋର୍ଟରେ ଖାରଜ ହେବା ପରେ ତାଙ୍କ ସମ୍ଭାବନା ଆହୁରି ମଉଳି ଯାଇଛି ।