୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ: ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ

180

କନକ ବ୍ୟୁରୋ: କଂଗ୍ରେସକୁ ଫେରିଲେ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ତିନି ନେତାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ସୂଚନା ଭବନରେ ଆୟୋଜିତ ‘ଜାନକୀ ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏଥିପାଇଁ ଏଆଇସିସି ଶୃଙ୍ଖଳା କମିଟି ଉଭୟଙ୍କୁ ନିଲମ୍ବନ କରିଥିଲା । ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୧୯ ଜାନୁଆରୀ ୨୦୧୯ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ହଟିବା ପରେ କନକ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ ଖୁସି ପ୍ରକାଶ କରିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ । ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧିକ ଶକ୍ତିଶାଳୀ ହେଉଛି । ଅନ୍ୟ ଦଳ ଧର୍ମକୁ ନେଇ ରାଜନୀତି କରୁଥିବା ବେଳେ କଂଗ୍ରେସ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।