କଠୋର ହେଲା ଟ୍ରାଫିକ ନିୟମ । ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ବାତିଲ ହୋଇଯିବ ଲାଇସେନ୍ସ, ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ ।

1,494

କନକ ବ୍ୟୁରୋ : ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଏବେ ଆପଣ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ।  ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ଲାଇସେନ୍ସ ରଦ୍ଦ ହେବ । ସେହିପରି ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ ଆପଣଙ୍କ ଲାଇସେନ୍ସ ୩ମାସ ପାଇଁ ରଦ୍ଦ ହୋଇଯିବ । ସେହିପରି ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ, ଅଧିକ ମାଲ୍ ପରିବହନ କଲେ, ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ ଏବଂ ଭୁଲ୍ ଦିଗରୁ ଗାଡି ଚଳାଇଲେ, ପ୍ରଥମ ଉଲ୍ଲଙ୍ଘନ ହେଲେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।