ଗାଡି ଚାଳକଙ୍କ ପାଇଁ ବଡ ଖବର । ଏଣିକି ହେଲମେଟ ନ ପିନ୍ଧିଲେ ହିନସ୍ତା ହେବେ, ଫାଇନ୍ ଗଣିବେ, ଲାଇସେନ୍ସ ବି ହେବ ବାତିଲ ।
କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । ଏଣିକି ହେଲମେଟ ନ ପିନ୍ଧିଲେ ହଟହଟା ହେବେ ଗାଡି ଚାଳକ । ହେଲମେଟ ପିନ୍ଧିବା ନିୟମକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ହେଲମେଟ ନ ପିନ୍ଧିଲେ ହଜାରେ ଟଙ୍କାର ଜରିମାନା ସହ ୩ ମାସ ପାଇଁ ବାତିଲ ହେବ ଲାଇସେନ୍ସ । ଆଉ ଏହି ନିୟମକୁ ଆହୁରି କଡାକଡି କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ । ପୂର୍ବରୁ ନିୟମ ଭାଙ୍ଗିଲେ କେବଳ ଫାଇନ ଆଦାୟ କରାଯାଉଥିବା ବେଳେ ଏବେ ନିୟମ ଭାଙ୍ଗିଲେ ଲାଇସେନ୍ସ ବାତିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାସହ ୨୦୧୯ରେ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିବା କାରଣରୁ ବାତିଲ ହୋଇଥିବା ଲାଇସେନ୍ସ ବାବଦରେ ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୧୯ରେ ପ୍ରାୟ ୮.୫ ଲକ୍ଷ ଗାଡି ଚାଳକ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିଥିବା ଚିଠିରେ କୁହାଯାଇଛି । ସବୁଠୁ ବଡ କଥା ହେଲା ଗତବର୍ଷ ୧୧୦୬୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ସେଥିମଧ୍ୟରୁ ୪୬୮୮ଟି ବାଇକ ଦୁର୍ଘଟଣା ରହିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୨୩୯୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୧୫୬ ଜଣ ହେଲମେଟ ପିନ୍ଧିନଥିବା ଜଣାପଡିଛି । ତେଣୁ ହେଲମେଟର ଗୁରୁତ୍ୱ କଣ ରହିଛି ତାହା ଏହି ତଥ୍ୟରୁ ବେଶ ସ୍ପଷ୍ଟ ଜଣାପଡୁଛି । ତେଣୁ ହେଲମେଟ ପିନ୍ଧିବା ଆଇନକୁ କଡାକଡି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।