ବ୍ରଜରାଜନଗର ଉପନିର୍ବାଚନ : କାହାକୁ ପାର୍ଥୀ କରିବ ବିଜେଡି ? ତାହା ଉପରେ ସମସ୍ତଙ୍କ ନଜର

119

କନକ ବ୍ୟୁରୋ : ପ୍ରାର୍ଥୀ ଘୋଣଷାରେ ସବୁବେଳେ ପଛରେ ରହୁଥିବା କଂଗ୍ରେସ ଏଥର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଗୁଆ କାର୍ଡ ଖୋଲିଥିଲା । ବିଧିବଦ୍ଧ ଭାବେ ନାଁ ଘୋଷଣା ହୋଇନଥିଲେ ବି ପୁରୁଖା ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ ନେଇ ନିଷ୍ପତ୍ତି ହୋଇଛି । ଆଉ ତାଙ୍କ ନାଁକୁ ହାଇକମାଣ୍ଡଙ୍କୁ ପଠାଇଛି ଦଳ । ଏନେଇ ସୂଚନା ଦେଇଥିଲେ କଂଗ୍ରେସ ସାଂସଦ ସନ୍ତୋଷ ସିଂ ସାଲୁଜା । ତେବେ ସଙ୍ଗଠନ ସଜାଡିବାରେ ବ୍ୟସ୍ତ ଥିବା କଂଗ୍ରେସ ବ୍ରଜରାଜନଗରରେ କିଭଳି ଲଢେଇ କରିବ ତାହା ଦେଖିବାର କଥା । ଏପଟେ ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁକୁ ବିଜେପି ଘୋଷଣା କରିଛି । ବାକି ରହିଛି ଶାସକ ବିଜେଡି ।

ପୂର୍ବ ଉପନିର୍ବାଚନ ଭଳି ବ୍ରଜରାଜନଗରରେ ବି ସିମ୍ପାଥି କାର୍ଡ ଖେଳିପାରେ ବିଜେଡି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ମୈଦାନକୁ ଆଣି ମାଷ୍ଟଷ୍ଟ୍ରୋକ ଖେଳିପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି କିଛିଦିନ ତଳେ ବ୍ରଜରାଜନଗରରେ ବସିଥିବା ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇସାରିଥିବା କୁହାଯାଉଛି । ଖାଲି ସୁପ୍ରିମୋଙ୍କ ଘୋଷଣା ବାକି ଅଛି । ୪ ତାରିଖରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ନାମାଙ୍କନ । ୧୧ ତାରିଖ ରହିଛି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ସେପଟେ ବ୍ରଜରାଜନଗର ଫଳାଫଳ ୨୦୨୪ ନିର୍ବାଚନ ପୂର୍ବରୁ ୩ ଦଳ ପାଇଁ ଏସିଡ ଟେଷ୍ଟ ବୋଲି କୁହାଯାଇପାରେ । ତେଣୁ ଏବେ ଶାସକ ଦଳର ପ୍ରାର୍ଥୀ ଘୋଷଣା ଉପରେ ନଜର ରହିଛି ।