ଥମୁନି ମେଣ୍ଟ ଚର୍ଚ୍ଚା, ଦିଲ୍ଲୀରେ ରାଜ୍ୟ ବିଜେପିର ବରିଷ୍ଠ ନେତା । ଆଜି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିବେ ଆଲୋଚନା, ଆସନ ଭାଗବଣ୍ଟାକୁ ନେଇ ଛିଡୁନି ଅଙ୍କ ।

108

କନକ ବ୍ୟୁରୋ : ମେଣ୍ଟ ନେଇ ଥମୁନି ଚର୍ଚ୍ଚା । ବରଂ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଗତକାଲି ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି । ଏହା ସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଏମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଆଜିର ବୈଠକରେ ମେଂଟ ସମ୍ପର୍କରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ମେଣ୍ଟ ଆପାତତଃ ଚୂଡାନ୍ତ ହୋଇଛି, କେବଳ ଆସନ ଭାଗବଣ୍ଟା ନେଇ ସମସ୍ୟା ରହିଛି । ଏହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ତିନି ଥର ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ମେଣ୍ଟ ନେଇ ଆଲୋଚନା ହୋଇନଥିବା କହିଛନ୍ତି । ଏବେ ରାଜ୍ୟ ନେତୃତ୍ୱ ପୁଣି ଦିଲ୍ଲୀ ଯାଇଥିବାରୁ ମେଣ୍ଟ ଚର୍ଚ୍ଚା ଆହୁରି ବଢିଯାଇଛି । ଅନ୍ୟପଟେ ମେଣ୍ଟକୁ ନେଇ ବିଜେଡି ଏଯାଏଁ ନୀରବ ରହିଛି । ବିଜେଡିର ଶୀର୍ଷ ନେତୃତ୍ୱ ଏଯାଏଁ ମେଣ୍ଟକୁ ନେଇ ସ୍ପଷ୍ଟ ମତ ରଖିନାହାନ୍ତି ।