କରୋନା ସମୟରେ ସ୍କୁଲ ଫି’ ହ୍ରାସ ସଂପର୍କିତ ନିଷ୍ପତ୍ତିକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ଆଜି ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ମାମଲାର ଶୁଣାଣି ପୁଣି ଡିସେମ୍ବର ୭ ତାରିଖକୁ ଘୁଞ୍ଚିଛି। ଆଜି ସରକାରଙ୍କ ସତ୍ୟପାଠ ପରେ କୌଣସି ନିଷ୍ପତ୍ତି ମିଳିବ ବୋଲି ଯାହା ଆଶା କରାଯାଉଥିଲା, ସରକାରଙ୍କ ସତ୍ୟପାଠ କିନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟାକୁ ପୁଣି ଝୁଲାଇ ରଖିଛି। ଗୋଟିଏ ପଟେ ସରକାର ହାଇକୋର୍ଟଙ୍କୁ ନି‌ଷ୍ପତ୍ତି ନେବାକୁ ଅନୁରୋଧ କରିଥିବାବେଳେ ହାଇକୋର୍ଟ କିନ୍ତୁ ସରକାରଙ୍କ ଠାରୁ ପୁଣି ନିର୍ଦ୍ଦିଷ୍ଟ ଭାବେ ‌ତାଙ୍କର ଆଭିମୁଖ୍ୟ ସଂପର୍କରେ ସତ୍ୟପାଠ ମାଗିଛନ୍ତି।

Advertisment

ଘରୋଇ ଅଣଅନୁଦାନପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକୁ ଓଡ଼ିଶା ଏଜୁକେସନ୍ ଆକ୍ଟ, ୧୯୬୯ରେ ଅନୁମତି ଓ ସ୍ବୀକୃତି ପ୍ରଦାନ କରାଯାଉଛି। କିନ୍ତୁ ଏହି ଆଇନ ଓ ଏ ସଂପର୍କିତ ନିୟମାବଳୀରେ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ କେତେ ଫି’ ଦେବେ, ତାହା ନିର୍ଦ୍ଧାରଣ କରିବା ବ୍ୟବସ୍ଥା ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସ୍ବୀକୃତିପ୍ରାପ୍ତ ଘରୋଇ ସ୍କୁଲ ଗୁଡିକର ଫି ଗଠନ ପ୍ରଣାଳୀ ନିୟନ୍ତ୍ରଣ କରିବା ପାଇଁ ଏ ସଂପର୍କିତ ଆଇନରେ କିଛି ବ୍ୟବସ୍ଥା ନାହିଁ। ଏଥିସହିତ ସିବିଏସଇ ଓ ଆଇସିଏସଇ ଦ୍ବାରା ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ କେତେ ଫି’ ଦେବେ ତାହା ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ କିଛି ନୀତି ନାହିଁ। ଅତୀତରେ ଡିଏଭି ସ୍କୁଲ ଫି’ ବିବାଦ ମାମଲାରେ ଜଷ୍ଟିସ୍ କେ.ପି.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି ଷ୍ଟ୍ରକଚର୍ କମିଟି ଅନୁମୋଦନ ଗ୍ରହଣ ପାଇଁ ସୁପ୍ରିମକୋର୍ଟ କହିଥିଲେ। ବିଜେଇଏମ୍ ସ୍କଲ ଫି’ ବିବାଦ ମାମଲାରେ ମଧ୍ୟ ଜଷ୍ଟିସ୍ କେ.ପି.ମହାପାତ୍ର କମିଟି ଅନୁମୋଦନ ଲାଗୁ ଉପରେ ହାଇକୋର୍ଟ ୨୦୧୫ରେ ଗୁରୁତ୍ବାରୋପ କରିଥିଲେ।

ଅଣଅନୁଦାନପ୍ରାପ୍ତ ସ୍କୁଲ ଗୁଡିକର ଫି’ ନିର୍ଦ୍ଧାରଣ ପାଇଁ ରାଜ୍ୟ କିମ୍ବା ଜିଲ୍ଲାସ୍ତରରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। କିନ୍ତୁ ପଞ୍ଜାବ, ହରିୟାନା ଓ ଅନ୍ୟ କେତେକ ରାଜ୍ୟରେ ଘରୋଇ ସ୍କୁଲ ଫି’ ଛାଡ଼ ପାଇଁ ସେ ରାଜ୍ୟର ସରକାର ନିୟମ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଗଲା ଅକ୍ଟୋବର ୧୦ରେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପି.କେ.ମିଶ୍ର ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମ୍‌ଓୟୁକୁ ଗ୍ରହଣ କରି ଅଦାଲତ ଉପଯୁକ୍ତ ନି‌ର୍ଦ୍ଦେଶ ପ୍ରଦାନ କରନ୍ତୁ। ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବ ନାହିଁ ।

୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି’, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି’, ଏକଜିକ୍ୟୁରେସନ୍ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି’ ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏ ପ୍ରସଙ୍ଗରେ ସରକାର ସତ୍ୟପାଠ ଜରିଆରେ ପକ୍ଷ ରଖିବାକୁ ‌ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ବି ସ୍ଥିତି ସ୍ପଷ୍ଟ ନହେବାରୁ ଡିସେମ୍ବର ୭ ସୁଦ୍ଧା ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଛି। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଶୁଭଲକ୍ଷ୍ମୀ ହରିଚନ୍ଦନ, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ଓ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।