କରୋନା ଟିକାକରଣକୁ ଦୃଷ୍ଟିରେ ରଖି ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପୁଣି ଚାଲିବ ପୋଲିଓ ଟିକାକରଣ

122

କନକ ବ୍ୟୁରୋ : ଚଳିତ ମାସ ୧୬ ତାରିଖରୁ ସାରା ଦେଶରେ କରୋନା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାୟ ପ୍ରତି ରାଜ୍ୟରେ କରୋନା ଟିକା ପହଂଚାଇଛନ୍ତି କେନ୍ଦ୍ରସରକାର । ହେଲେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୭ ତାରିଖରୁ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି । କହି ରଖୁ କି ଜାନୁଆରୀ ୧୭ ତାରିଖକୁ ଜାତୀୟ ପୋଲିଓ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଦେଶର ସମସ୍ତ ୫ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ଟିକା ଦିଆଯାଇଥାଏ ।

ହେଲେ ଚଳିତବର୍ଷ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୭ ତାରିଖରେ ହେବାକୁ ଥିବା ପୋଲିଓ ଟିକାକରଣକୁ ସ୍ଥଗିତ ରଖିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପରେ ଏହି କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କହିରଖୁ କି କରୋନା ଟିକାକରଣ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୩ କୋଟି ଆଗଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହା ସହ ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।