ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜୋରଦାର । OPHWCର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ଗତ ସପ୍ତାହରେ ତାଙ୍କ ନିକଟରୁ ଠାବ ହୋଇଥିଲା ୧୫କୋଟିରୁ ଅଧିକ ଟଙ୍କାର ସମ୍ପତି

66

କନକ ବ୍ୟୁରୋ : କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ବିରୋଧୀ ଅଭିଯାନ ଜରିଆରେ ସରକାର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିଛନ୍ତି । ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ଥିଲେ ପ୍ରତାପ ।

ଭିଜିଲାନ୍ସ ରେଡ ବେଳେ ତାଙ୍କ ପାଖରୁ ୧୫ କୋଟିରୁ ଅଧିକ ଟଂକାର ସମ୍ପତି ଜବତ ହୋଇଛି । ସେ ତାଙ୍କ ଆୟରୁ ୧୦ ଗୁଣା ଅଧିକ ସମ୍ପତି ଠୁଳ କରିଥିଲେ । ତଦନ୍ତ ବେଳେ ଭିଜିଲାନ୍ସ ଏହା ଜାଣିବାକୁ ପାଇଛି । ପୂର୍ବରୁ ପ୍ରତାପ ଚାକିରି କାଳ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ମଧ୍ୟ ନିଲମ୍ବିତ ହୋଇଥିଲେ । ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି କଠୋର ପଦକ୍ଷେପ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଓଡିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର  ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପ ସାମଲ ନିଲମ୍ବିତ ହୋଇଥିଲେ । ନିକଟରେ ତାଙ୍କ ବାସଭବନ ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରଯାଇ ବ୍ୟାପକ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା । ଏହାକୁ ମିଶାଇ ବର୍ତ୍ତମନ ସୁଦ୍ଧା ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି ।