କନକ ବ୍ୟୁରୋ : ବିଜେପିରୁ ନିଲମ୍ବିତ ନୁପୂର ଶର୍ମାଙ୍କୁ ଅସ୍ତ୍ର ରଖିବାର ଲାଇସେନ୍ସ ମିଳିଛି । କୁହାଯାଉଛି କି ଆତ୍ମରକ୍ଷା ପାଇଁ ତାଙ୍କୁ ଏହି ଲାଇସେନ୍ସ ମିଳିଛି । ଏହି ଲାଇସେନ୍ସ ତାଙ୍କୁ ଦିଲ୍ଲୀ ପୋଲିସ ତରଫରୁ ଦିଆଯାଇଛି । ନୁପୂର ଶର୍ମା ବିଜେପିର ପ୍ରବକ୍ତା ଥିଲେ । ଏକ ଟିଭି ବିତର୍କରେ ସେ ପେଗାମ୍ବର ମହମ୍ମଦଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ନେଇ ସାରା ଦେଶରୁ ତାଙ୍କ ବିରୋଧରେ ସ୍ୱର ଉଠିଥିଲା । ଏହି କାରଣରୁ ବିଜେପି ତରଫରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏହାସହ ନୁପୂର ଶର୍ମାଙ୍କ ବିରୋଧରେ ଦିଲ୍ଲୀ ବ୍ୟତୀତ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଲଗାତର ଭାବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳୁଥିଲା ।

Advertisment

ନୁପୂର ଶର୍ମା ୨୦୨୨ ଜୁନ ମାସରେ ଏକ ଟିଭି ବିତର୍କରେ ପେଗାମ୍ବର ମହମ୍ମଦ ଓ ତାଙ୍କ ତୃତୀୟ ପତ୍ନୀ ଆୟଶାଙ୍କୁ ନେଇ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ବୟାନକୁ ନେଇ ସାରା ଦେଶରେ ହିଂସା ଦେଖିବାକୁ ମିଳିଥିଲା । କେବଳ ଭାରତ ନୁହେଁ ଭାରତ ବାହାରେ କିଛି ମୁସଲିମ୍ ଦେଶ ମଧ୍ୟ ଏହାକୁ ନିନ୍ଦା କରିଥିଲେ । ଏପଟେ ବିବାଦ ବଢିବା ପରେ ନିଜୟ ଟିପ୍ପଣୀ ପାଇଁ ନୁପୂର ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ସେପଟେ କିଛି ରାଜ୍ୟରେ ଏହି ଟିପ୍ପଣୀକୁ ବିରୋଧରେ ମାମଲା ରୁଜୁ ହୋଇଥିଲା । ରାଜସ୍ଥାନ ଉଦୟପୁରର ଦର୍ଜୀ କହ୍ନେୟାଲାଲା ଓ ପୁଣେର ଔଷଧ ବ୍ୟବସାୟୀ ନୁପୂର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିବା କାରଣରୁ ହତ୍ୟାର ଶିକାର ହୋଇଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ତରଫରୁ ନୁପୂରଙ୍କୁ ଆଶ୍ୱସ୍ତି ମିଳିଥିଲା । କୋର୍ଟ ନୁପୂରଙ୍କ ଗିରଫ ଉପରେ ରୋକ୍ ଲଗାଇବା ସହ ସାରା ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ନାମରେ ହୋଇଥିବା ମାମଲାର ଶୁଣାଣି ଗୋଟିଏ କୋର୍ଟଙ୍କୁ ସ୍ତାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।