କନକ ବ୍ୟୁରୋ : ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କ ପକ୍ଷରୁ ପୁନଃବିଚାର ପାଇଁ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ଖାରଜ କରିଥିବା ବେଳେ ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଛି । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଲଢିପାରିବେ କି ନାହିଁ ତାହାକୁ ନେଇ ସସପେନ୍ସ ରହିଛି ।
ଗୁଜୁରାଟ ହାଇକୋର୍ଟଙ୍କ ରାୟ ଆସିବା ପରେ ରାହୁଲ ଗାନ୍ଧୀଙ୍କ ପାଇଁ ୨୦୨୪ ନିର୍ବାଚନ ଲଢିବା ଆଉ ଏତେ ସହଜ ହୋଇ ନାହିଁ । ହାଇକୋର୍ଟଙ୍କ ରାୟ ବିରୋଧରେ ରାହୁଲଙ୍କ ପାଖରେ ସୁପ୍ରିମକୋର୍ଟକୁ ଯିବା ବିକଳ୍ପ ରହିଛି । କିନ୍ତୁ ମୋଦି ସରନେମ ମାମଲାରେ ଯଦି ସୁପ୍ରିମକୋର୍ଟର ସମାନ ଆଭିମୁଖ୍ୟ ରୁହେ ଏବଂ ନିମ୍ନ ଅଦାଲତକୁ କାଏମ ରଖନ୍ତି ତେବେ ରାହୁଲଙ୍କ ପାଇଁ ଅଡୁଆ ବଢିବ । ସେହିଭଳି ଯଦି ନିମ୍ନ ଅଦାଲତର ରାୟରେ ସୁପ୍ରିମକୋର୍ଟ ରୋକ ଲଗାନ୍ତି ତେବେ ରାହୁଲଙ୍କ ପାଇଁ ନିର୍ବାଚନ ଲଢିବାର ବାଟ ଫିଟିବ ଏବଂ ଏହାସହ ନିଜର ସଦସ୍ୟତା ମଧ୍ୟ ଫେରିପାଇବେ ରାହୁଲ । ଏମିତିରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି । ଯଦି ଆଗୁଆ ନିର୍ବାଚନ ହୁଏ ଏବଂ ମୋଦି ସରନେମ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ନ ମିଳେ ତେବେ ଆଗାମୀ ଲୋକସଭା ନିର୍ବାଚନ ଲଢିବା ରାହୁଲଙ୍କ ପକ୍ଷେ ସମ୍ଭବ ହୋଇନପାରେ ।
ଗୁଜୁରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ରାହୁଲ ଅସ୍ତିତ୍ୱହୀନ ଆଧାରକୁ ନେଇ ଆଶ୍ୱସ୍ତି ପାଇବାକୁ ଚାହୁଁଛନ୍ତି । ନିମ୍ନ ଅଦାଲତ ଦେଇଥିବା ଦଣ୍ଡ ଉପରେ ରୋକ ଲଗାଇବାର ସେମିତି କୌଣସି ନିୟମ ମଧ୍ୟ ନାହିଁ । ଏହାସହ ସାବରକରଙ୍କ ନାତିଙ୍କ ଦ୍ୱାରା ଦାୟର କରାଯାଇଥିବା ମାମଲାକୁ ଉଲ୍ଲେଖ କରି ହାଇକୋର୍ଟ କହିଥିଲେ, ଆବେଦନକାରୀଙ୍କ ନାଁରେ ଏବେ ବି ୧୦ଟି ଅପରାଧିକ ମାମଲା ରହିଛି । ରାହୁଲଙ୍କୁ ଦୋଷମୁକ୍ତ କରାଯିବା ନେଇ କିମ୍ବା ନିମ୍ନ ଅଦାଲତର ରାୟ ଉପରେ ରୋକ ଲଗାଇବା ପାଇଁ କୌଣସି ସଠିକ୍ ଯୁକ୍ତି ଉପସ୍ଥାପନ କରାଯାଇନାହିଁ ।
୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ରାହୁଲ ଗାନ୍ଧୀ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିଥିଲେ । ୪ ବର୍ଷ ପରେ ଗତ ୨୩ ମାର୍ଚ୍ଚରେ ସୁରତର ନିମ୍ନ ଅଦାଲତ ଏହି ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡ ଦେଇଥିଲେ । ଆଉ ଦଣ୍ଡବିଧାନ କାରଣରୁ ରାହୁଲଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଥିଲା । ଜନପ୍ରତିନିଧି ଆଇନ ଅନୁଯାୟୀ, ସାଂସଦ କିମ୍ବା ବିଧାୟକ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କର ସଦସ୍ୟତା ରଦ୍ଦ ହୁଏ । ଏହାସହ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରନ୍ତି ନାହିଁ ଦୋଷୀ ସାବ୍ୟସ୍ତ ନେତା ।