କନକ ବ୍ୟୁରୋ : ୧୯୪୮ ମସିହା ଜାନୁଆରି ୩୦ ତାରିଖ । ବିର୍ଲା ହାଉସରେ ଚାଲିଥିଲା ପ୍ରାର୍ଥନା ସଭା । ଠିକ୍ ଏହି ସମୟରେ ଗୁଳିର ଶବ୍ଦ ଶୁଭିଲା । କେହି କିଛି ଭାବିବା ପୂର୍ବରୁ ପ୍ରାର୍ଥନାସ୍ଥଳରେ ହିଁ ଟଳି ପଡିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ସାମ୍ନାରେ ଥିଲେ ନାଥୁରାମ ଗଡସେ । ତାଙ୍କ ବନ୍ଧୁକରୁ ବାହାରିଥିବା ୩ଟି ଗୁଳି ସିଧା ବାଜିଥିଲା ବାପୁଙ୍କ ଛାତିରେ । ଆଉ ହେ ରାମ କହି ସେହିଠାରେ ହିଁ ଟଳି ପଢିଥିଲେ ବାପୁ । ହତ୍ୟାକାଣ୍ଡର କାରଣ ଯାହା ହେଉ ନା କାହିିଁକି କିନ୍ତୁ ଏବେ ମଧ୍ୟ ହତ୍ୟାକାଣ୍ଡକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ଅନେକ ଅସମାହିତ ପ୍ରଶ୍ନ ଯାହା ଏବେ ମଧ୍ୟ ଲୁଚିକି ରହିଛି ।
ପ୍ରକୃତରେ ଗାନ୍ଧିଜୀଙ୍କୁ ୩ଟି ନୁହେଁ ଚାରିଟି ଗୁଳି ମରାଯାଇଥିଲା। ନାଥୁରାମ ଗଡସେଙ୍କ ବ୍ୟତୀତ ସେଠାରେ ଅନ୍ୟ କେହି ଆତତାୟୀ ବି ଥିଲେ। ଏହି ଆତତାୟୀ କିଏ ବା ଚତୁର୍ଥ ଗୁଳି କିଏ ଚଳାଇଥିଲା ସେ ବିଷୟରେ ସେ ସମୟରେ ଠିକ୍ ଭାବେ ତଦନ୍ତ କରାଯାଇନଥିବାରୁ ଗାନ୍ଧୀ ହତ୍ୟାକାଣ୍ଡର କେସ୍ ରିଓପନ୍ କରିବାକୁ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ନିଜକୁ ବୀର ସଭରକରଙ୍କ ଅନୁଗାମୀ କହୁଥିବା ଡ. ପଙ୍କଜ ଫଡନିସ୍।
ପଙ୍କଜ ଫଡନିସଙ୍କ କହିବା କଥା ହେଲା ଗାନ୍ଧିଜୀଙ୍କ ହତ୍ୟା ଖବର ପ୍ରକାଶ କରିଥିବା ସେ ଦିନର ପ୍ରାୟ ସବୁ ଖବରକାଗଜ ୪ଟି ଗୁଳି ଫୁଟିଥିବା ଦର୍ଶାଇଥିଲେ। ତେବେ ନାଥୁରାମ ଗଡସେଙ୍କଠାରୁ ଘଟଣାସ୍ଥଳରେ ଯେଉଁ ପିସ୍ତଲ ଜବତ ହୋଇଥିଲା ତାହା ୭ଟି ଗୁଳିବିଶିଷ୍ଟ ଥିଲା। ଜବତ ହେବା ବେଳେ ପିସ୍ତଲରେ ୪ଟି ଜୀବନ୍ତ ଗୁଳି ଥିଲା। ଅର୍ଥାତ ସେଥିରୁ ୩ଟି ଗୁଳି ଚାଲିଥିଲା। ଗାନ୍ଧିଜୀଙ୍କ ମର ଶରୀରକୁ ଗାଧୋଇ ଦେବା ବେଳେ ଚତୁର୍ଥ ଗୁଳିଟି ମିଳିଥିଲା। ଏହି ଗୁଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଙ୍କଜ। ସେ ସିଧାସଳଖ ଏକ ସଂଗଠନକୁ ଏଥିପାଇଁ ଦାୟୀ କରିଛନ୍ତି ।
ସେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା କପୁର କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅଣଦେଖା କରିଛନ୍ତି। ଏମିତିକି ପ୍ରତ୍ୟକ୍ଷଦର୍ଶୀ ମନୁବେନଙ୍କ ସାକ୍ଷ୍ୟ ବି ନିଆଯାଇନାହିଁ। ଏକ ସାନି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପୁଣି ଥରେ ତଦନ୍ତ କରାଯାଉ ବୋଲି ସେ ଆବେଦନ କରିଛନ୍ତି। ପୂର୍ବରୁ ଏଭଳି ଏକ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ପରେ ପଙ୍କଜ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/GANDHI.jpg)