ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି

270

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ବାହାରିବା ୪ଦିନ ବିତିଲାଣି କିନ୍ତୁ ୩ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ଏବେ ସୁଦ୍ଧା ସ୍ଥିର ହୋଇପାରୁନି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନକୁ ଯଦିଓ ବିଜେପି କବଜା କରିସାରିଛି ସେପଟେ ସରିନି ଅଙ୍କକଷା ।

ସବୁଠୁ ଅଧିକ ଫୋକସରେ ରହିଛି ରାଜସ୍ଥାନ । ୫ବର୍ଷ ପରେ ବିଜେପି ଶାସନକୁ ଫେରିଛି । ତେଣୁ ଭାବି ବିଚାରି ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ମାରିବାକୁ ଚାହୁଁଛି ଦଳ । ତେବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଅଚାନକ ଦିଲ୍ଲୀ ପହଁଚିବାକୁ ନେଇ ଚର୍ଚ୍ଚା ଅଧିକ ହୋଇଛି । ଗୁରୁବାର ଶୀର୍ଷ ନେତାଙ୍କ ସହ ଆଲୋଚନା ପରେ ଖୁବ ଶିଘ୍ର ରାଜସ୍ଥାନ ଫଇସଲାକୁ ସବୁଜ ସଂକେତ ମିଳିପାରେ । ଦୁଇ ଦୁଇ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ବସୁନ୍ଧରା । ଚଳିତ ନିର୍ବାଚନରେ ଝାଲରାପାଟନ ଆସନରୁ ନିର୍ବାଚିତ ହୋଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ସାଂସଦ ବାବା ବାଲକନାଥ, ଦୀୟ କୁମାରୀ ଓ ନୂଆ ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ନାଁ ଥିବା ଚର୍ଚ୍ଚା ହେଉଛି ।

ବିଜେପି ଆଗାମୀ ପଦକ୍ଷେପ କ’ଣ ରହିଛି ତା ଉପରେ ସମସ୍ତଙ୍କ ନଜର । ସେପଟେ ଚର୍ଚ୍ଚା ହେଉଛି ଦଳର ହାଇକମାଣ୍ଡ ନୂଆ ଚେହେରାଙ୍କ ଉପରେ ମୋହର ମାରି ବଡ ସରପ୍ରାଇଜ ଦେଇପାରନ୍ତି । ସଂସଦୀୟ ଦଳ ବୈଠକ ସରିଛି । ତେଣୁ ଖୁବ ଶିଘ୍ର ଆସିପାରେ ଫଇସଲା ।

ମୁଖ୍ୟମନ୍ତ୍ରୀ ଚୌକି ପାଇଁ କେବଳ ରାଜସ୍ଥାନରେ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଛକାପଂଝା ଚାଲିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଯଦିଓ ନଥିବା କହିସାରିଛନ୍ତି ଶିବରାଜ ସିଂ ଚୌହାନ ତଥାପି ସସପେନ୍ସ ଉପରୁ ପୂରାପୁରି ପର୍ଦ୍ଦା ଉଠିପାରିନି । ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ସିଂ ପଟେଲ ଏବଂ କୈଳାଶ ବିଜୟବର୍ଗୀୟ ଭଳି ହାଇପ୍ରୋଫାଇଲ ଚେହେରା ରହିଛନ୍ତି । ଅନ୍ୟପଟେ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର, ବିରୋଧୀ ଦଳ ନେତା ଥିବା ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ହେବାକୁ ଅନେକ ନେତା ଦୌଡରେ ଅଛନ୍ତି । କିନ୍ତୁ ଦୁଇ ରାଜ୍ୟ ଅପେକ୍ଷା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ବିଜେପି ଶୀର୍ଷ ନେତାଙ୍କ ପାଇଁ ବଡ କସରତ କରିପାରନ୍ତି । ଦେଖିବାକୁ ବାକି ରହିଲା ଦଳର ବିପୁଳ ବିଜୟ ପରେ କେଉଁ ରାଜ୍ୟର କିଏ ନୂଆ ମୁଖ୍ୟମନ୍ତ୍ରୀ ହେଉଛନ୍ତି ।