କନକ ବ୍ୟୁରୋ: ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ସୟିଦ ଇଶାନ୍ ବୁଖାରି ଗୁମର । ବୁଖାରୀର କାର୍ଯ୍ୟକଳାପକୁ ସନ୍ଦେହ କରି ୨୦୧୮ରେ ଥାନାରେ ଅଭିଯୋଗ କରିଥିଲେ ସେଖ ଦିଲଦାର ଚାନ୍ଦ । କିନ୍ତୁ ସେତେବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ପରେ ବୁଖାରୀଙ୍କ ପତ୍ନୀ ସାମ୍ବାଦିକଙ୍କୁ ଧମକ ଦେଇଥିଲେ । ଏପରିକି ମିଛ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ କହିଥିଲେ । କନକ ନ୍ୟୁଜ୍ ଆଗରେ କାହାଣୀ ବଖାଣିଲେ ସାମ୍ବାଦିକ ସେଖ୍ ଦିଲଦାର ଚାନ୍ଦଙ୍କ ପରିବାର ।
କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ସୟିଦ ଇଶାନ୍ ବୁଖାରିକୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଗତକାଲି ଏସଟିଏଫର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ଚଣ୍ଡିଖୋଲ ଜେଏମଏଫସି ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଆଜି ବୁଖାରିକୁ ରଗଡ଼ି ଜେଲରୁ ଏସଟିଏଫର ଏକ ଟିମ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ୱର ନେବାର ସୂଚନା ରହିଛି । ସେଠାରେ ଇଶାନକୁ ଏସଟିଏଫ ଅଧିକ ପଚରାଉଚରା କରିବ ବୋଲି ସୂଚନା ରହିଛି ।