କନକ ବ୍ୟୁରୋ: ଗୋଟିଏ ପଟେ ସାରା ବିଶ୍ୱ କରୋନା ମହାମହାମାରୀ ସହ ଲଢେଇ କରୁଛି, ଅନ୍ୟପଟେ ଧୃତ ପାକିସ୍ତାନ ନିଜ ଖଳ ପ୍ରକୃତି ଜାରି ରଖିଛି । ଭାରତ ସୀମାରେ ଆତଙ୍କ ଖେଳାଇବା ପାଇଁ ଏକ ନୂଆ ବାଟ ଆପଣାଇଛି ପାକିସ୍ତାନ । ଗୁପ୍ତଚର ପାରା ପଠାଇ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରିବାକୁ ପାକିସ୍ତାନ ଭିନ୍ନ ବାଟ ଆପଣାଇଥିବା ସନ୍ଦେହ କରାଯାଉଛି ।

Advertisment

କାଶ୍ମୀର ସୀମାନ୍ତ କାଠୁଆ ସେକ୍ଟରରେ ଧରାପଡିଲା ପାକିସ୍ତାନର ଗୁଇନ୍ଦା ପାରା । ପାକିସ୍ତାନ ପଟୁ ଉଡି ଆସିଥିବା ଏହି ପାରାକୁ ନେଇ ଭାରତୀୟ ଯବାନଙ୍କ ଭିତରେ ଚିନ୍ତା ବଢିଯାଇଥିଲା । ଏହି ପାରାକୁ ଧରି ଏକ ପଂଜୁରୀରେ ରଖିଛି କାଠୁଆ ପୋଲିସ୍ । ପାରା ଦେହରେ ଏକ ଗୋଲେଇ ଆକୃତିର ରିଙ୍ଗ ଲାଗିଥିବା ବେଳେ ସେଥିରେ କିଛି ନମ୍ବର ଲେଖା ହୋଇଛି । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁସାରେ ଏହି ପାରାକୁ ଭାରତରେ ଗୁଇନ୍ଦା କରିବା ପାଇଁ ସ୍ୱତନ୍ତ୍ର ତାଲିମ ଦେଇଛି ପାକିସ୍ତାନ । ତେବେ ଏହା ପାକିସ୍ତାନର ପାରା କି ନୁହେଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା କହିଛନ୍ତି କାଠୁଆ ଜିଲ୍ଲା ଏଏସ୍ପି ।

ଭାରତ-ପାକିସ୍ତାନ ସୀମାକୁ ଲାଗିିଥିବା କାଠୁଆ ଜିଲ୍ଲାର ମନୟାରୀ ଗାଁର ଲୋକଙ୍କୁ ସୀମା ନିକଟରେ ଏହି ଗୁଇନ୍ଦା ପାରା ମିଳିଥିଲା । ତେବେ ଏହା ପ୍ରଥମଥର ନୁହେଁ ଯେବେ ଗୁଇନ୍ଦାଗିରି ପାଇଁ ପାକିସ୍ତାନ ପାରାଙ୍କୁ ବ୍ୟବହାର କରୁଛି । ଗତବର୍ଷ ସେପ୍ଟେମ୍ବର ମାସରେ ରାଜସ୍ଥାନର ବିକାନୈର ଠାରେ ପାକିସ୍ତାନ ପଠାଇଥିବା ଏକ ଗୁଇନ୍ଦା ପାରା ଭାରତୀୟ ସେନା ହାତରେ ଧରାପଡିଥିଲା । ପାରାଙ୍କୁ ଗୁଇନ୍ଦା ପାଇଁ ତାଲିମ୍ ଦେବା କିଛି ନୂଆ କଥା ନୁହେଁ । ବିଗତ ଦିନରେ ପାରାଙ୍କୁ ଖବର ନେବା ଆଣିବା ପାଇଁ ବ୍ୟବହାର କରାଯାଉଥିଲା । ଏଥିପାଇଁ ସେମାନଙ୍କୁ ବିଶେଷ ଭାବେ ତାଲିମ୍ ମଧ୍ୟ ଦିଆଯାଇଥାଏ ।

ସନ୍ଦେହ କରାଯାଉଛି ଏହି ଗୁଇନ୍ଦା ପାରା ଜରିଆରେ ପାକିସ୍ତାନ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଛି । ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଥିବା ସୂଚନା ମିଳିଛି ।