ଚାକିରୀ ବିକ୍ରି ରାକେଟର ଗୁମର ଖୋଲିବ ଭିଜିଲାନ୍ସ ? ଆଜିଠୁ ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣଙ୍କୁ ମାରାଥନ ଜେରା

100

କନକ ବ୍ୟୁରୋ : ଚାକିରୀ ବିକ୍ରି ରାକେଟର ଗୁମର ଖୋଲିବ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ସମ୍ପତିର ଖୋଳତାଡ଼ କରିବ ଭିଜିଲାନ୍ସ । ବେଆଇନ ଆୟର ଉତ୍ସ ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଏତେ ବଡ଼ ଦୁର୍ନୀତିରେ ବିରଞ୍ଚି ଯେ ଏକୁଟିଆ ସାମିଲ ନାହାନ୍ତି, ପ୍ରାଥମିକ ତଦନ୍ତରୁ ଏକତା ସ୍ପଷ୍ଟ ହୋଇଯାଇଛି ।

ବିରଞ୍ଚିଙ୍କ ଘରକୁ ଦେଢ଼ ସହରୁ ଅଧିକ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଜବତ ହୋଇଥିବାରୁ ଏହା ପଛରେ ଓଏସ୍ଏସ୍ସି ଅଫିସର କିଛି ବଡ଼ମୁଣ୍ଡ ସାମିଲ ଥିବା ସନ୍ଦେହ ଘନୀଭୂତ ହୋଇଛି । ତେଣୁ ଏହି ଦୁର୍ନୀତି ରାକେଟର ପର୍ଦ୍ଦାଫାସ୍ ଲାଗି ଭିଜିଲାନ୍ସ ଆଜିଠୁ ମାରାଥନ ଜେରା କରିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ବିରଞ୍ଚି, ତାଙ୍କ ପତ୍ନୀ ଓ ସଢ଼ୁଙ୍କ ମୋବାଇଲ ଫୋନ୍ କଲ ଡିଟେଲ୍ସ ରେକର୍ଡ ବିବରଣୀ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି ।

ଏଥିରୁ ତାଙ୍କ ପତ୍ନୀ ଓ ସଢ଼ୁ ଚାକିରୀ ଆବେଦନକାରୀଙ୍କ ସହ ଯୋଗାଯୋଗରେ ରହୁଥିଲେ ବୋଲି ଜଣାପଡ଼ିଛି । ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ବିରଞ୍ଚି ପରୀକ୍ଷାର୍ଥୀମାନଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିଥିବା ସନ୍ଦେହ ଘନୀଭୂତ ହୋଇଛି । ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁ ମନୋରଞ୍ଜନ ସାହୁଙ୍କ ସହ ବିରଞ୍ଚିଙ୍କୁ ମୁହାଁମୁହିଁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି ଭିଜିଲାନ୍ସ ।