ପେଟ ପାଇଁ ଅଳିଆଗଦାରେ ଅଣ୍ଡାଳି ଅଣ୍ଡାଳି ଅଇଁଠା ଖାଇଲେ ଅସହାୟ ବ୍ୟକ୍ତି । ଭୂତାଣୁ ଭୟ ଭିତରେ କଟକ ବଡ ମେଡିକାଲରୁ ଆସିଲା ଭୋକର ବିକଳ ଚିତ୍ର ।

1,088

କନକ ବ୍ୟୁରୋ: ଭୋକ କେତେ ଭୟଙ୍କର ହୋଇପାରେ ? ଭୋକ ମଣିଷକୁ କେଉଁ ସ୍ତରକୁ ନେଇପାରେ? ଭୋକ କାହାକୁ କୁହାଯାଏ? ଏ ହୃଦୟଥରା ଭିଡିଓଟି ଭୋକର ସଜ୍ଞା ବୁଝାଇବାକୁ ଯଥେଷ୍ଟ ହେବ? ଭୋକ ପେଟ ଦେଖେନି, ଭୋକ ପାଇଁ ସବୁ ପେଟ ସମାନ । ସେ ଭଲ ମଣିଷ ହେଉ କିମ୍ବା ମାନସିକ ବିକାରଗ୍ରସ୍ତ । ଭୋକର ଭଉଁରୀରେ ସମସ୍ତେ ପଡନ୍ତି । ଭୂତାଣୁ ଭୟ ଭିତରେ କଟକ ବଡ ମେଡିକାଲରୁ ଆସିଛି ଭୋକର ବିକଳ ଚିତ୍ର ।

ଅଳିଆ ଗଦାରୁ ଗୋଟେଇ ଖାଉଥିବା ଏ ବ୍ୟକ୍ତି ଜଣଙ୍କ ମାନସିକ ବିକାରଗ୍ରସ୍ତ ବୋଲି ଅନୁମାନ କରାଯାଉଛି । କଟକ ବଡ ମେଡିକାଲର ଆଖାପାଖରେ ଅନେକ ସମୟରେ ତାଙ୍କୁ ଦେଖିବାକୁ ମିଳେ । ଲୋକ ଯାହା ଦିଅନ୍ତି ତାକୁ ଖାଇ ସେ ପଟେ ପୂରାନ୍ତି । ମାତ୍ର ଭୋକ ଯେତେବେଳେ ଭୟାନକ ହୋଇଛି ସେତେବେଳେ ସବୁସୀମା ଡେଇଁ ଡଷ୍ଟବିନ ପାଖକୁ ଧାଇଁ ଆସିଛନ୍ତି ଏ ଅସହାୟ ଜଣଙ୍କ । ଆଉ ଅଳିଆ ଗଦାରୁ ଅଣ୍ଡାଳି ଅଣ୍ଡାଳି ଅଇଁଠା ଖାଉଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଏହି ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଥିଲା । ଅଳିଆଗଦାରୁ ଗୋଟେଇ ଖାଉଥିବାର ଭିଡିଓ ଦେଖିଥିଲା ସାରା ଓଡିଶା । ଆଉ ଆଜି ମାସଟିଏ ପରେ ପୁଣି ଉକ୍ତ ବ୍ୟକ୍ତିର ଭୋକର ଭିଡିଓ ସାମ୍ନାକୁ ଆସିଛି । ସବୁଠାରୁ ବଡ କଥା ହେଉଛି ଅସହାୟ ମାନସିକ ରୋଗୀଙ୍କ ପାଇଁ ଏସସିବି ମେଡିକାଲରେ ସ୍ୱତନ୍ତ୍ର ୱାର୍ଡ ରହିଛି । ସେମାନଙ୍କୁ ସେବା, ସୁବିଧା ଯୋଗାଇଦେବାକୁ ଅନେକ ବ୍ୟବସ୍ଥା ରହିଛି । ତଥାପି ଏ ବ୍ୟକ୍ତିଙ୍କ କାହାରି ନଜର ପଡୁନି । ବଡ ମେଡିକାଲର ଏମୁଣ୍ଡରୁ ସେମୁଣ୍ଡ, ସବୁଆଡେ ସବୁ ସମୟରେ ଘୁରି ବୁଲୁଥିଲେ ବି ନା ପ୍ରଶାସନ ନା କର୍ତ୍ତୃପକ୍ଷ କାହାର ଆଖି ତାଙ୍କ ଉପରକୁ ଯାଉନି । ସମସ୍ତେ ଏକ ପ୍ରକାର ଆଖିବୁଜି ଦେଇ ଅବହେଳାର ଅଳିଆଗଦାକୁ ତାଙ୍କୁ ଫୋପାଡି ଦେଇଛନ୍ତି । ହେଲେ କାହିଁକି ? ସେ କଣ ମଣିଷ ନୁହଁନ୍ତି ? ମେଡିକାଲ କର୍ମଚାରୀମାନେ ଏସବୁ ଦେଇ କେମିତି ନଦେଖିଲା ପରି ହେଉଛନ୍ତି?