କନକ ବ୍ୟୁରୋ: ଯାଜପୁରରୁ ଗିରଫ ହୋଇଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏସଟିଏଫ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି ୫ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।
ଆଜି ସୟିଦ୍ ବୁଖାରୀକୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ବୁଖାରୀକୁ ନେଇ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ୨ ନେପାଳୀ ମହିଳାଙ୍କୁ ବିବାହ କରି ସେମାନଙ୍କ ଫୋନରେ ପାକିସ୍ତାନକୁ ତଥ୍ୟ ଯୋଗାଉଥିଲା ବୁଖାରୀ । ପୂର୍ବରୁ ସେ ୭ଜଣଙ୍କୁ ବିବାହ କରିଥିବା ବେଳେ ଆଉ ୧୨ଜଣଙ୍କୁ ବିବାହ କରିବାକୁ ଯୋଜନା କରିଥିଲା ବୁଖାରୀ । ଏପରିକି ମହିଳାଙ୍କୁ ବିବାହ କରିବା ପରେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଉଥିଲା । ଏହାସହ ଆଉ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ବୁଖାରୀର ଭାଇକୁ କାଶ୍ମୀର ପୁଲିସ ଗିରଫ କରିଥିଲା । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ମିଳିଛି ଗୁରୁତ୍ୱପୂର୍ଣ ତଥ୍ୟ ।
ପାକିସ୍ତାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଂଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେ, ଦେଶ ବିରୋଧୀତତ୍ୱଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ । ତେଣୁ ସିଡିଆର ରିପୋର୍ଟ ଅନେକ କିଛି ଗୁମର ଖୋଲିବ ବୋଲି କୁହାଯାଉଛି । ଏବେ ବୁଖାରୀ ୫ ଦିନିଆ ରିମାଣ୍ଡରେ ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।