ସାରା ରାଜ୍ୟକୁ ସତର୍କ କଲା ପାରାଦୀପ ବନ୍ଦରରୁ ବାହାରିଥିବା ଆମ୍ବୁଲାନ୍ସ୍ । ଦୁଇ କରୋନା ସନ୍ଦିଗ୍ଧଙ୍କୁ ଅଣାଗଲା କଟକ । ମୋଦି କହିଲେ, ସତର୍କ ଅଛନ୍ତି ସରକାର, ନବ କହିଲେ, ଓଡ଼ିଶାରେ ନାହିଁ ଭୟ ।

924

କନକ ବ୍ୟୁରୋ : କବାଟ ବାଡଉଛି କରୋନା । ଗତକାଲି ଦିଲ୍ଲୀରେ ଦୁଇ ଜଣ ସନ୍ଦିଗ୍ଧଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଆଜି ଓଡିଶାରେ ଦୁଇ ଜଣଙ୍କ ଠାରେ କରୋନା ସନ୍ଦେହ କରି କଟକର ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଛି । ଏହି ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ସିଙ୍ଗାପୁରରୁ ଆସିଥିଲେ । ସେପଟେ ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ ନିୟୋଜିତ ହୋଇଥିବା ବେଳେ ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏହାରି ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଓଡିଶାରେ କରୋନା ଭୟ ନାହିଁ । ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ପାରଦୀପ ବନ୍ଦର ଭିତରୁ ସାଇରନ୍ ଦେଇ ବାହାରି ଆସିଥିବା ଆମ୍ବୁଲାନ୍ସ, ସତେ ଯେମିତି ସାରା ଓଡ଼ିଶାକୁ ସତର୍କ କରିଦେଇଛି । କାରଣ ଏହି ଆମ୍ବୁଲାନ୍ସରେ କରୋନା ସନ୍ଦିଗ୍ଧ ୨ଜଣଙ୍କୁ ବନ୍ଦର ବାହାରକୁ ଅଣାଯାଇଛି । ସିଙ୍ଗାପୁରରୁ ଆସିଥିବା ଦମ୍ପତି ଅସୁସ୍ଥ ଥିବାରୁ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା । ସମସ୍ତ ତଥ୍ୟ ଯାଂଚ ଏବଂ ପ୍ରାଥମିକ ଚିକିତ୍ସା ପରେ ଦମ୍ପତିଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆଉ ଯେତେବେଳେ ଏହି ବିଦେଶୀ ଦମ୍ପତି କଟକ ବଡ଼ ମେଡ଼ିକାଲରେ ପହଂଚିଥିଲେ, ବେଶ ସତର୍କତାର ସହ ଏହି ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡକୁ ନିଆଯାଇଥିଲା । ଏହି ଦୁଇ ଜଣଙ୍କ ଉପରେ ଡାକ୍ତରୀ ଟିମ୍ର ନଜର ଥିବା ବେଳେ ରକ୍ତନମୁନା ଯାଂଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏପଟେ ଓଡ଼ିଶାର ଦୁଇ ବିମାନ ବନ୍ଦର, ଭୁବନେଶ୍ୱର ଏବଂ ଝାରସୁଗଡ଼ା ଦେଇ ଆସୁଥିବା ସମସ୍ତ ବିଦେଶୀ ଯାତ୍ରୀଙ୍କ ଉପରେ ରହିଛି କଡ଼ା ନଜର । ଅନ୍ତର୍ଜାତୀୟ ବିମାନରେ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ । ଏଥିପାଇଁ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ ।୍ ଚୀନରେ ମୃତ୍ୟୁ ସଂଖ୍ୟା ବଢୁଛି, ଭାରତରେ ଭୟ ବଢୁଛି । ଏହାରି ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି-ଓଡିଶାରେ କରୋନା ଭୟ ନାହିଁ । ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଏପଟେ ଭାରତରେ ୫ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଆଗ୍ରାର ଗୋଟିଏ ପରିବାରର ୬ ଜଣଙ୍କୁ କରୋନା ସନ୍ଦେହରେ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଭୟଭିତ ନହେବାକୁ ପରାମର୍ଶ ଦେଇଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି-ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତେ ମିଶି ସ୍ଥିତିର ମୁକାବିଲା କରିବା । ସେହିପରି ଆଉ ଏକ ଟ୍ୱିଟରେ ଲେଖିଛନ୍ତି-ନୋଭେଲ କରୋନା ଭୂତାଣୁ ନେଇ ଏକ ବିସ୍ତୃତ ସମୀକ୍ଷା କରାଯାଇଛି । ବିଭିନ୍ନ ମନ୍ତ୍ରାଳୟ ଏବଂ ରାଜ୍ୟ ମିଳିତ ଭାବେ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ହେଲେ କରୋନା ଭାଇରସକୁ ନେଇ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି । ନୋଇଡା ଅଂଚଳରେ ଥିବା ଦୁଇଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଗୋଟିଏ ସ୍କୁଲକୁ ମାର୍ଚ୍ଚ ୧୧ ତାରିଖ ଯାଏଁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଅନ୍ୟ ସ୍କୁଲକୁ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।