କନକ ବ୍ୟୁରୋ: କଂଗ୍ରେସକୁ ବଡ ଝଟକା । ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁସ୍ମିତା ଦେବ ଦଳ ଛାଡିଛନ୍ତି । କଂଗ୍ରେସ ଛାଡି ଏବେ ଟିଏମସିରେ ଯୋଗ ଦେଇଛନ୍ତି ସୁସ୍ମିତା ଦେବ୍ । ଟିଏମସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ୍ ଓବରେନ୍ଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ସୁସ୍ମିତା । ସୋମବାର ସକାଳୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ ସୁସ୍ମିତା । ଏହାପରେ ଟିଏମସିରେ ଯୋଗଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ଭେଟିଛନ୍ତି ସୁସ୍ମିତା ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ କଂଗ୍ରେସରୁ ଯୁବନେତାମାନେ ଛାଡିଲେ ଦଳକୁ କିଛି ଫରକ ପଡିବନି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ । ସିବଲ ଟ୍ୱିଟ କରି କହିଛନ୍ତି – ସୁସ୍ମିତା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଯେତେବେଳେ କୌଣସି ଯୁବନେତା ଦଳ ଛାଡନ୍ତି ସେତେବେଳେ ବରିଷ୍ଠ ତଥା ବୁଢା ନେତାମାନଙ୍କୁ ଦୋଷ ଦିଆଯାଏ । ବରିଷ୍ଠ ନେତାମାନେ ଦଳକୁ ସବୁବେଳେ ମଜବୁତ ରଖିବା ପାଇଁ ପ୍ରୟାସ କରିଥାନ୍ତି ।
ହେଲେ ଯୁବ ନେତା ଦଳ ଛାଡୁଛନ୍ତି । ଏହାରି ଭିତରେ ବି ଦଳ ଆଗକୁ ବଢିବ । କଂଗ୍ରେସରେ ଏକ ପ୍ରମୁଖ ଦାୟିତ୍ୱ ତୁଲାଉଥିବା ସୁସ୍ମିତା, ଦଳ ଛାଡିବା ପରେ ଏହାକୁ ନେଇ କଂଗ୍ରେସକୁ ଅନେକ ସମାଲୋଚନା କରାଯାଉଛି । ଏହା ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଥିବା କୁହାଯାଉଛି । ଗତ ୩ ଦଶକ ଧରି କଂଗ୍ରେସରେ ପ୍ରମୁଖ ଭୂମିକା ତୁଲାଉଥିବା ସୁସ୍ମିତା ହଠାତ ଦଳ କଣ ପାଇଁ ଛାଡିଲେ ଏହାର ସ୍ୱଷ୍ଟ କାରଣ ସାମ୍ନାକୁ ଆସିନି ।