ରାହୁଲଙ୍କ ‘ଗୁରୁ-ଶିଷ୍ୟ’ ଉପାଖ୍ୟାନକୁ ନେଇ ଜବାବ ରଖିଲେ ସୁଷମା ! କହିଲେ, ଭାଷାରେ ମର୍ଯ୍ୟାଦା ରଖନ୍ତୁ କଂଗ୍ରେସ ଅଧ୍ୟକ୍ଷ ।

132

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନୀ ପ୍ରଚାର ଜୋରଦାର ହେଉଥିବା ବେଳେ, ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ରାହୁଲ-ସୁଷମା ବିବାଦ । ଆଡଭାନି ଏବଂ ମୋଦିଙ୍କୁ ନେଇ ରାହୁଲ କହିଥିବା ‘ଗୁରୁ-ଶିଷ୍ୟ’ ଉପାଖ୍ୟାନର ଜବାବ ରଖିଛନ୍ତି ସୁଷମା ସ୍ୱରାଜ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଡଭାନି ଓ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଖପ୍ପା ହୋଇଯାଇଛନ୍ତି । ସୁଷମା ସ୍ୱରାଜ ରାହୁଲଙ୍କୁ ଟୁଇଟ କରି କହିଥିଲେ, ଆଡଭାନି ଆମର ପିତା ସମାନ । ତୁମର ଏପରି ବୟାନ ମୋତେ ବହୁତ ଆଘାତ ଦେଇଛି । ଦୟାକରି ନିଜ ଭାଷା ଉପରେ ଶାଳୀନତା ଓ ଶିଷ୍ଟାଚାର ଭିତରେ ଅଭିଭାଷଣ ରଖନ୍ତୁ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ବିଜେପିର ବରିଷ୍ଠ ନେତା ଆଡଭାନିଙ୍କୁ ନିଜର ‘ଗୁରୁ’ ବୋଲି କୁହନ୍ତି । ତେବେ ଦଳ ପକ୍ଷରୁ ଆଡଭାନିଙ୍କୁ ଟିକଟ ନମିଳିଥିବାରୁ ଏହାର ଜବାବରେ ରାହୁଲ ଗାନ୍ଧି ମୋଦିଙ୍କୁ କଟାକ୍ଷ କରି କହିଥିଲେ ମୋଦି ଆଡ଼ଭାନିଙ୍କୁ ‘ଜୋତା’ରେ ମାରି ଷ୍ଟେଜରୁ ତଳକୁ ଓହ୍ଲାଇ ଦେଇଥିଲେ । ମୋଦି ନିଜ ଗୁରୁଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ । ବିଜେପିରେ ହିନ୍ଦୁ ଧର୍ମକୁ ଅଧିକ ଗୁରୁତ୍ୱ ଦିଆ ଯାଉଥିବାବେଳେ ଏବେ ଗୁରୁ-ଶିଷ୍ୟ ପରମ୍ପରା କାହିଁକି ଏତେ ନିମ୍ନସ୍ତରକୁ ଯାଇଛି ବୋଲି ରାହୁଲ କହିଥିଲେ ।