ସୁଷମାଙ୍କ ଶେଷ ଇଚ୍ଛା ପୂରା କଲେ ଝିଅ ବାଂଶୁରୀ । ଆଇନଜୀବୀ ହରିଶ ସାଲଭେଙ୍କ ବକେୟା ବହୁମୂଲ୍ୟ ଟଙ୍କାଟିଏ ପାଉଣା ଦେଇ ମା’ଙ୍କ ଇଚ୍ଛା କଲେ ପୂରା ।

656

କନକ ବ୍ୟୁରୋ : ମା’ଙ୍କ ଇଚ୍ଛା ପୂରା କଲେ ଝିଅ । ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ଝିଅ ବାଂଶୁରୀ ସ୍ୱରାଜ । କୂଳଭୁଷଣ ଯାଦବ ମାମଲାରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ବକେୟା ଥିବା ୧ ଟଙ୍କାର ପାଉଣା ଦେଇଛନ୍ତି ବାଂଶୁରୀ ।

ସୁଷମା ସ୍ୱରାଜଙ୍କ ପରଲୋକ ସହ ଏକ ଏଭଳି ଘଟଣା ସାମ୍ନାକୁ ଆସିଥିଲା, ଯାହା ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତିକୁ ଦୋହଲାଇ ଦେଇଥିଲା । ମୃତ୍ୟୁର ଠିକ୍ ଘଂଟାକ ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ସ୍ୱରାଜ । ଇଂଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ- ଆଇସିଜେରେ କୁଲଭୂଷଣଙ୍କ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା । ରାତି ପ୍ରାୟ ୮ଟା ୫୦ରେ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ।

ସୁଷମା ସ୍ୱରାଜ
‘ହେଲୋ ହରିଶ ଜୀ । ଆପଣଙ୍କୁ କାଲି ଆସି ମୋତେ ଭେଟିବାକୁ ପଡିବ । ଆପଣ ଜିତିଥିବା କେସ ପାଇଁ ମୋର ଟଙ୍କାଟିଏ ଦେବାର ଅଛି । କାଲି ସଂଧ୍ୟା ୬ଟାରେ ଆସନ୍ତୁ ।’

ହରିଶ ସାଲଭେ
‘ନିଶ୍ଚୟ । ମୋର ବହୁମୂଲ୍ୟ ଟଙ୍କାଟିଏ ନେବା ପାଇଁ ମୁଁ ନିଶ୍ଚୟ ଯିବି ।’

ପାକିସ୍ତାନ ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲା ଅନ୍ତର୍ଜାତୀୟ କୋର୍ଟ ଆଇସିଜେରେ ଲଢୁଛନ୍ତି ହରିଶ ସାଲଭେ । ଯେଉଁଥିପାଇଁ ସେ କେବଳ ସାଂକେତିକ ଭାବେ ୧ ଟଙ୍କା ଫିସ୍ ନିଅନ୍ତି । କୁଲଭୂଷଣ ମାମଲାକୁ ଆଇସିଜେରେ ପହଂଚାଇବା ସହ ପାକିସ୍ତାନ ଜେଲରେ ବନ୍ଦୀ ଏହି ଭାରତୀୟ ନାଗରିକଙ୍କୁ ଫାଶୀ ଖୁଂଟରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ନୂଆଦିଲ୍ଲୀର ଅନ୍ତର୍ଜାତୀୟ ଚାପ ଫଳରେ ପାକିସ୍ତାନର ସାମରିକ କୋର୍ଟ କୁଲଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ ମଧ୍ୟ ଏହାକୁ କାର୍ୟ୍ୟକାରୀ କରିପାରି ନାହିଁ ।