ଫଲୋ ନ କରି ମଧ୍ୟ କରୁଥିଲେ ଫଇସଲା । ସାତ ଦରିଆ ପାରିରୁ ସୁଷମାଙ୍କର ଥିଲେ ହଜାର ହଜାର ଫଲୋଅର୍ସ, କିନ୍ତୁ କାହାକୁ ଫଲୋ ନ କରି ଚୁଟକିରେ ବଡ ବଡ ସମସ୍ୟାର କରୁଥିଲେ ସମାଧାନ ।

217

କନକ ବ୍ୟୁରୋ : ଫଲୋ ନ କରି ମଧ୍ୟ କରୁଥିଲେ ଫଇସଲା । ଗୋଟିଏ ଗୋଟିଏ ଟ୍ୱିଟରେ ବଡ ବଡ ସମସ୍ୟାର ହୋଇଯାଉଥିଲା ସମାଧାନ । ସାତ ଦରିଆ ପାରିରୁ ଆସୁଥିବା ସମସ୍ୟାକୁ ସୋସିଆଲ ମିଡିଆରେ ଗୋଟିଏ କ୍ଲିକରେ ସମାଧାନ କରୁଥିଲେ ସୁଷମା । ସୋସିଆଲ ମିଡ଼ିଆରେ ସୁଷମା ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ, କୋଟି କୋଟି ଲୋକ ତାଙ୍କୁ ଟ୍ୱିଟରରେ ଫଲୋ କରୁଥିଲେ । କିନ୍ତୁ ସେମାନଙ୍କୁ ଫଲୋ କରିବା ବଦଳରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ଅଧିକ ଗୁରୁ୍ତ୍ୱ ଦେଉଥିଲେ । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ନିଜର ଦଳୀୟ ସାଥୀ କିମ୍ବା ଦେଶର ଜଣାଶୁଣା ଚେହେରାଙ୍କୁ ମଧ୍ୟ ଫଲୋ କରିନଥିଲେ ସୁଷମା । ଯେଉଁଠି ଟ୍ୱିଟରରେ ତାଙ୍କୁ ୧୩ ମିଲିୟନରୁ ଅଧିକ ଲୋକ ଫଲୋ କରୁଥିଲେ ସେଭଳି ସ୍ଥଳେ ଟ୍ୱିଟରରେ ଜଣେ ହେଲେ ବ୍ୟକ୍ତିଙ୍କୁ ମଧ୍ୟ ଫଲୋ କରିନଥିଲେ ସୁଷମା ।

ଟ୍ୱିଟରରେ ସିନା କାହାକୁ ଫଲୋ କରିନଥିଲେ କିନ୍ତୁ ରାଜନୈତିକ ବ୍ୟାପାରରେ ପ୍ରଯୁକ୍ତି ବିଦ୍ୟାକୁ କିଭଳି ବ୍ୟବହାର କରାଯାଏ, ତାହା ସାରା ଦୁନିଆକୁ ଶିଖାଇଥିଲେ ସୁଷମା । ମୋଦି ସରକାରର ପ୍ରଥମ ପାଳିରେ ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ସୁଷମା ସୋସିଆଲ ମିଡିଆକୁ ସାଥୀ କରି ଦେଶର ପ୍ରତିଟି ଘରେ ପହଞ୍ଚିପାରିଥିଲେ । ଗାଁ ଠାରୁ ଆରମ୍ଭ କରି ସହର, ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଗୋଟିଏ କ୍ଲିକ କରି ସୁଷମାଙ୍କ ନିକଟରେ ନିଜର ଅଭିଯୋଗ ପହଞ୍ଚାଇ ପାରୁଥିଲେ । କେବଳ ଭାରତ ନୁହେଁ ସାତ ଦରିଆ ପାରିରୁ ମଧ୍ୟ ସୁଷମାଙ୍କ ନିକଟକୁ ଆସୁଥିଲା ଶହ ଶହ ଅଭିଯୋଗ । ଆଉ ଏହାକୁ ଚୁଟକିରେ ସମାଧାନ କରୁଥିଲେ ସୁଷମା । ଏପରିକି ଶେଷ ନିଶ୍ୱାସ ତ୍ୟାଗ କରିବାର ଚାରିଘଣ୍ଟା ପୂର୍ବରୁ ଟ୍ୱିଟ୍ କରି ଧାରା ୩୭୦ ଉଚ୍ଛେଦ ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ସୁଷମା ।

ବିଦେଶରେ ଅତ୍ୟାଚାରର ଶିକାର ହେଉଥିଲେ କିମ୍ବା ଫସି ରହିଥିଲେ ଲୋକଙ୍କ ପ୍ରଥମ ଟ୍ୱିଟ୍ ଆସୁଥିଲା ସୁଷମାଙ୍କ ପାଖକୁ । ସମସ୍ୟା ସମାଧାନ କରିବାକୁ ସୋସିଆଲ ମିଡିଆକୁ ବଡ ଅସ୍ତ୍ର କରିଥିଲେ ସୁଷମା । ଅଭିଯୋଗ ଆସିବାର କିଛି ସମୟ ମଧ୍ୟରେ ହିଁ ଏହା ଉପରେ କାର୍ଯ୍ୟ ଆରମ୍ଭ କରୁଥିଲେ ସୁଷମା । ଆଉ ଏହାଦ୍ୱାରା ସୁଷମାଙ୍କ ପ୍ରତି ଲୋକଙ୍କ ମନରେ ବିଶ୍ୱାସ ବଢିବା ସହ ଭଲ ପାଇବା ମଧ୍ୟ ବଢିଚାଲିଥିଲା । ଏପରିକି ସୁଷମାଙ୍କୁ ଟ୍ୱିଟ୍ କଲେ ସାହାଯ୍ୟ ମିଳିବା ନିଶ୍ଚିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଥିଲା । ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । କୁହାଯାଏ ଏହି ଟ୍ୱିଟର ଫର୍ମୁଲାକୁ ସାଥୀ କରି ବୈଦଶିକ ମନ୍ତ୍ରାଳୟର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲି ଦେଇଥିଲେ ସୁଷମା ।