କନକ ବ୍ୟୁରୋ : ସୁଷମାଙ୍କ ଏପରି ହଠାତ୍ ଅକାଳ ବିୟୋଗ ରାଜନୈତିକ ମହଲକୁ ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତିରୁ ଏହି ଖବର ଯିଏ ବି ଶୁଣୁଛି , ହଠାତ୍ ବିଶ୍ୱାସ କରିପାରୁନି । ଅନେକ ରାଜନେତା ସୁଷମାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ନିଜର ରାଜନୈତିକ ଜୀବନରେ ସୁଷମାଙ୍କ ସହ ରହିଥିବା ମଧୁର ସଂପର୍କକୁ ମନେ ପକାଇଛନ୍ତି । ସୁଷମାଙ୍କ ଏପରି ହଠାତ୍ ନିଧନକୁ କେହି ବିଶ୍ୱାସ କରିପାରୁନାହାନ୍ତି । ଏପରି ଏକ ଖବର ଆସିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ , ସଭିଏଁ ସ୍ତବ୍ଧ ହୋଇଯାଇଛନ୍ତି । ସଭିଙ୍କୁ ମର୍ମାହତ କରିଛି ଏହି ନିଧନ ଖବର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି କହିଛନ୍ତି ଏହି ଖବରରେ ସେ ମର୍ମାହତ ।

Advertisment

publive-imageଦେଶ ଜଣେ ସଚୋଟ ନେତ୍ରୀଙ୍କୁ ହରାଇଲା । ସେହିପରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁଷମାଙ୍କ ନିଧନ ସହିତ ଦେଶର ରାଜନୀତିରେ ଏକ ଗୌରବମୟ ଅଧ୍ୟାୟର ଅନ୍ତ ଘଟିଲା । ସାରା ଜୀବନ ଦେଶ ସେବା ଓ ଗରିବଙ୍କ ପାଇଁ ଉତ୍ସର୍ଗ ଥିବା ଜଣେ ନେତ୍ରୀଙ୍କୁ ଦେଶ ହରାଇଲା । ସେହପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଦଳର ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ରାଜନାଥ ସିଂ ସୁଷମାଙ୍କ ନିଧନ ଖବର ତାଙ୍କୁ ଅଧିକ ମର୍ମାହତ କରିଥିବା କହିଛନ୍ତି । ଦଳର ଅନେକ ନେତା ସେମାନଙ୍କର ଶୋକ ବାର୍ତା ରଖିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିବା ସହ ସୁଷମାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି କାମନା କରିଛନ୍ତି ।

publive-imageଦେଶର ବୈଦେଶିକ ମନ୍ତ୍ରୀ ଭାବେ ଭାରତର ବିଦେଶ କୂଟନୀତିକୁ କିଛି ଭିନ୍ନ ସ୍ତରକୁ ପହଁଚାଇ ଦେଇଥିଲେ ସୁଷମା ସ୍ୱରାଜ । ଖାସ୍ ସେଥିପାଇଁ ସୁଷମାଙ୍କ ନିଧନ ଖବର ପ୍ରଚାର ହେବା ମାତ୍ରେ ଭାରତରୁ ନେଇ ବାଂଲାଦେଶ, ବାହାରିନରୁ ଫ୍ରାନ୍ସ ସବୁ ରାଷ୍ଟ୍ର କରିଛନ୍ତି ଶୋକପ୍ରକାଶ । ଫ୍ରାନ୍ସ ରାଷ୍ଟ୍ରଦୂତ ଟୁଇଟ୍ କରି କହିଛନ୍ତି ସୁଷମାଙ୍କ ବୈଦେଶିକ ମନ୍ତ୍ରୀ କାଳରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ବୈଦେଶିକ ସଂପର୍କ ବହୁ ଆଗକୁ ଯାଇପାରିଥିଲା । ସେହିପରି ସୁଷମାଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେକ୍ ହସିନା । ସେ ଟୁଇଟ୍ କରି କହିଛନ୍ତି ସୁଷମାଙ୍କ ନିଧନ ବାଂଲାଦେଶର ଜଣେ ଭଲ ବନ୍ଧୁଙ୍କୁ ହରାଇଲା । ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କରଜାଇ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ସୁଷମାଙ୍କୁ ବେହନ ଜୀ କହିବା ସହ ତାଙ୍କର ନିଧନ ତାଙ୍କୁ ଗଭୀର ମର୍ମାହତ କରିଥିବା କହିଛନ୍ତି । ବାହାରିନ୍ ଓ ମାଲଦୀପରୁ ମଧ୍ୟ ଆସିଛି ସୁଷମାଙ୍କ ପାଇଁ ଶୋକ ଭରା ଟୁଇଟ୍ ।