କନକ ବ୍ୟୁରୋ : ଯଦି ବି ସେ ଏବେ ଆଉ ଆମ ଗହଣରେ ନାହାଁନ୍ତି ହେଲେ ଭାରତରେ ସବୁଠାରୁ ଶକ୍ତିଶାଳୀ ମହିଳା ରାଜନେତା ଭାବେ ତାଙ୍କର କାର୍ଯ୍ୟକୁ କେବେ ବି ଭାରତୀୟମାନେ ଭୁଲିପାରିବେ ନାହିଁ । ଆଜି ଦେଶର ଅଗ୍ନିବର୍ଷି ନେତ୍ରୀ କୁହାଯାଉଥିବା ସ୍ୱଗତଃ ସୁଷମା ସ୍ୱରାଜଙ୍କର ଜନ୍ମଦିନ । ସେ ୧୯୫୨ ମସହା ଫେବୃଆରୀ ୧୪ ତାରିଖରେ ଜନ୍ମ ହୋଇଥିଲେ ଓ ୨୦୧୯ ମସିହାରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ସବୁଠାରୁ ଦକ୍ଷ ବୈଦେଶିକମନ୍ତ୍ରୀ ଭାବେ ଏବେ ବି ଦେଶ ତାଙ୍କୁ ମନେ ରଖିଛି । ମୋଦୀ ସରକାରରେ ମନ୍ତ୍ରୀଥିବା ସୁଷମାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ସେ ଦଳୀୟ ପରିଚୟ ଠାରୁ ଉଦ୍ଧ୍ୱରେ ଥାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅନ୍ୟପଟେ ନିଜର ସରଳ ଭାବନା ଓ ଦୟାବନ୍ତ ହୃଦୟ ପାଇଁ ସେ ଅନେକ ଥର ପ୍ରଶଂସିତ ହୋଇଛନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନକୁ ରାଜନୀତି ଠାରୁ ଦୂରେଇ ରଖିଥିଲେ । ଦେଶରେ ରାଜନୀତି କରୁଥିବା ସମସ୍ତ ମହିଳାଙ୍କ ପାଇଁ ସୁଷମା ସ୍ୱରାଜ ସର୍ବଦା ଉଦାହରଣ ହୋଇ ରହିବେ ।
ସୁଷମା ସ୍ୱରାଜ ପଞ୍ଜାବ ୟୁନିଭରସିଟି ଚଣ୍ଡିଗଡର ଓକିଲାତି ପାସ କରିଥିଲେ । ଏହାସହ ତାଙ୍କ ପାଖରେ ସଂସ୍କୃତ ଓ ରାଜନୀତି ବିଜ୍ଞାନର ସାର୍ଟିଫିକେଟ ବି ଥିଲା । ଏହାସହ ସେ ସୁପ୍ରିମ କୋର୍ଟର ଜଣେ ଓକିଲ ଭାବେ ବି କାମ କରିଛନ୍ତି । ଏହାପରେ ୧୯୭୦ ମସିହାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।
୧୯୭୭ ମସିହାରେ ସେ ହରିଆଣା ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହା ଏକ ବଡ ଉପଲବ୍ଧି କି ତାଙ୍କୁ ଯେତେବେଳେ ମାତ୍ର ୨୫ ବର୍ଷ ବୟସ ହୋଇଥିଲା ସେ ହରିଆଣା ସରକାରରେ ଜଣେ ମନ୍ତ୍ରୀ ହୋଇପାରିଥିଲେ । ଏହାପରେ ୧୯୭୯ ମସିହାରେ ତାଙ୍କୁ ବିଜେପି ପାର୍ଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ଏହାପରେ ସୁଷମା ସବୁଠାରୁ କମ ବୟସର କ୍ୟାବିନେଟ ମନ୍ତ୍ରୀ ହୋଇପାରିଥିଲେ ।
ଜଣେ ନାରୀ ଭାବେ ସୁଷମା ସ୍ୱରାଜ ସର୍ବଗୁଣା ସମ୍ପର୍ଣ୍ଣା ଥିଲେ । ଗୋଟିଏ ପଟେ ବିବାହ କରି ସ୍ୱାମୀ ଓ ପିଲାମାନଙ୍କ ଦାୟିତ୍ୱ ନେଉଥିଲେ ତ ସେପଟେ ରାଜନୀତି ଓ ନିଜ ପଦର କାର୍ଯ୍ୟକୁ ଗମ୍ଭୀରତାର ସହକାରେ ସମ୍ପାଦନ କରୁଥିଲେ । ହେଲେ ବିବାହ ପରେ ସେ ସ୍ୱାମୀଙ୍କ ସାଙ୍ଗିଆକୁ ନିଜ ନାମରେ ଯୋଡି ନଥିଲେ ହେଲେ ନିଜର ସ୍ୱାମୀଙ୍କ ନାମକୁ ସେ ନିଜ ସାଙ୍ଗିଆ କରିଦେଇଥିଲେ । ତାଙ୍କ ସ୍ୱାମୀଙ୍କ ନାମ ସ୍ୱରାଜ କୌଶଲ ଥିଲା ।
ସେ ଜାତୀୟ ରାଜନୀତିରେ ପାଦଦେବା ପରେ ୭ ଥର ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ତାଙ୍କୁ ସଂସଦରେ ଉକ୍ରୁଷ୍ଠ ସାଂସଦ ଭାବେ ପୁରସ୍କୃତ କରାଯାଇଥିଲା । ୧୯୯୬ ମସିହାରେ ସେ ଅଟଳ ବିହାରୀ ବାଜପେୟୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ୧୯୯୮ ମସିହାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଛାଡି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଥିଲେ । ଏହାସହ ଏକ ରାଜନୈତିକ ଦଳରେ ମହିଳା ପ୍ରବକ୍ତା ଭାବେ ପ୍ରଥମେ ସୁଷମା ସ୍ୱରାଜଙ୍କୁ ନିଯୁକ୍ତି ମିଳିଥିଲା । ତାଙ୍କର କଥା କହିବାର ଶୈଳୀ ପାଇଁ ସେ କ୍ରମାଗତ ୩ ବର୍ଷ ରାଜ୍ୟ ସ୍ତରୀୟ ସର୍ବଶ୍ରେଷ୍ଠ ହିନ୍ଦି ପ୍ରବକ୍ତା ପୁରସ୍କାର ମିଳିଥିଲା ।
Follow Us