ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା । କଂଗ୍ରେସ ଅଧ୍ୟକ୍ଷଙ୍କ ‘ସବୁ ମୋଦି ଚୋର’ ନାରାକୁ ନେଇ ରୁଜୁ ହେଲା ମାମଲା । 

116

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ନାଁରେ ମାମହାନୀ ମୋକଦ୍ଦମା ରୁଜୁ କରିଛନ୍ତି । ରାହୁଲ ଗାନ୍ଧିଙ୍କ ସବୁ ମୋଦି ଚୋର ନାରାକୁ ନେଇ ଏହି ମାମଲା ରୁଜୁ ହୋଇଛି । ରାହୁଲଙ୍କ ନାଁରେ ମାନହାନି ମାମଲା ନେଇ ସୁଶୀଲ ମୋଦି କହିଛନ୍ତି ଯେ ରାହୁଲଙ୍କ ଏପରି ବୟାନ ସବୁ ମୋଦି ଟାଇଟେଲର ଲୋକଙ୍କୁ ଆଘାତ ଦେଇଛି । ଏପରିକି ସମାଜରେ ସେମାନଙ୍କର ଛବି ଖରାପ ହେଉଛି । ଏପରି ବୟାନ ଦେବା ଅପରାଧ ବୋଲି ସୁଶୀଲ ମୋଦି କହିଛନ୍ତି ।

ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଭଳି ମନ୍ତବ୍ୟ ରଖିଥିଲେ । ରାହୁଲ ପ୍ରଶ୍ନ କରିଥିଲେ ଯେ ସବୁ ଚୋରଙ୍କ ନାଁ ମୋଦି କାହିଁକି । ନୀରବ ମୋଦି ଓ ଲଳିତ ମୋଦିଙ୍କ ଉଦାହରଣ ବି ଦେଇଥିଲେ ରାହୁଲ । ଏବେ ଏହାକୁ ନେଇ ରାହୁଲଙ୍କ ନାଁରେ ମାନହାନି ମାମଲା କରିଛନ୍ତି ବିହାର ବିଜେପି ନେତା ସୁଶୀଲ ମୋଦୀ ।