କନକ ବ୍ୟୁରୋ: ତେଜସ୍ୱୀ ଯାଦବଙ୍କୁ ବିହାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କଲେ ବିଜେପି ନେତା ସୁଶୀଲ ମୋଦି । ଭାଜପାର ଏହି ସିନିୟର ନେତା ତେଜସ୍ୱୀ ଯାଦବଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଦାବି କରିଛନ୍ତି । ତେବେ ଚାକିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ତେଜସ୍ୱୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପରେ ଏପରି ଦାବି କରିଛନ୍ତି ସୁଶୀଲ ମୋଦି ।
ସୂଚନାଯୋଗ୍ୟ ଯେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଚାକିରି ବଦଳରେ ଜମି ଦେବା ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ କୋର୍ଟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ତେବେ ପ୍ରାୟ ୧୪ବର୍ଷ ତଳର ଏହି ମାମଲାରେ ସିବିଆଇ ଚାର୍ଜସିଟ ଉପରେ ଶୁଣାଣି କରିବାକୁ କୋର୍ଟ କୌଣସି ତାରିଖ ଧାର୍ଯ୍ୟ କରିନାହାନ୍ତି ।
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ କହିବା କଥା, ନୀତିଶ କୁମାର କହିଥିଲେ, ସେ ଦୁର୍ନୀତି ସହ କୌଣସି ବୁଝାମଣା କରିବେ ନାହିଁ । ତେଣୁ ତୁରନ୍ତ ସେ ତେଜସ୍ୱୀ ଯାଦବଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ । ତାଙ୍କ ପାର୍ଟି ପୂର୍ବରୁ ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କ ଇସ୍ତଫା ଦାବି କରିଥିଲା । ତେଣୁ ଏବେ ତାଙ୍କ ମେଣ୍ଟର ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହେଇଥିବାରୁ, ସେ ମଧ୍ୟ ଇସ୍ତଫା ଦେବା ଉଚିତ୍ ବୋଲି ସୁଶୀଲ ମୋଦି କହିଛନ୍ତି ।
ଜାଣିରଖିବା ଉଚିତ୍ ଯେ, ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ତେଜସ୍ୱୀଙ୍କ ପରିବାର ସମେତ ଅନ୍ୟ କେତେକ ଲୋକଙ୍କୁ ବି ଅଭିଯୁକ୍ତ କରାଯାଇଛି । ଏହି ମାମଲାରେ ମେ ୧୮ ତାରିଖରେ ଇଡି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ପଚରାଉଚୁରା କରିଥିଲା । ଖାଲି ସେତିକି ନୁହେଁ, ସିବିଆଇ ମଧ୍ୟ ଏହି ମାମଲାରେ ତାଙ୍କୁ ପଚରାଉଚୁରା କରିଥିଲା । ତେବେ ପ୍ରାୟ ୧୪ବର୍ଷ ତଳର ଏହି ଘଟଣା ସମୟରେ କେନ୍ଦ୍ରରେ ୟୁପିଏ ସରକାର ଥିଲା । ଲାଲୁ ଯାଦବ କେନ୍ଦ୍ରରେ ରେଳମନ୍ତ୍ରୀ ଥିଲେ । ସିବିଆଇର ଅଭିଯୋଗ ଅନୁସାରେ, ପ୍ରଥମେ ରେଳବାଇର ଗ୍ରୁପ-ଡି ପୋଷ୍ଟରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇଥିଲେ । ତା ପରେ ସେମାନଙ୍କୁ ଚାକିରିରେ ସ୍ଥାୟୀ କରାଯାଇଥିଲା । ଏଥିପାଇଁ ରେଳବାଇ ପକ୍ଷରୁ କୌଣସି ବିଜ୍ଞାପନ ଦିଆଯାଇନଥିଲା । ହେଲେ କ୍ଷମତାର ଦୁରୂପଯୋଗ କରି, ଯେଉଁମାନେ ଲାଲୁ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ନାଁରେ ଜମି କରିଥିଲେ, ସେମାନଙ୍କୁ ରେଳବାଇରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ୨୦୨୨ରେ ଏନେଇ ମାମଲା ରୁଜୁ କରିଥିଲା ସିବିଆଇ ।