ଘୁଷୁରି ଚାଷୀଙ୍କ ସଫଳ କାହାଣୀ । ପଶୁ ସମ୍ପଦ ବିଭାଗ ସହଯୋଗରେ ଧଳା ଘୁଷୁରି ଚାଷ କରିଛନ୍ତି ରାୟଗଡ଼ାର ସୁଶାନ୍ତ ବିଡ଼ିକା ।

134

କନକ ବ୍ୟୁରୋ: କୁହାଯାଏ ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହା ପ୍ରମାଣ କରି ଦେଖାଇଛନ୍ତି ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଲଣ୍ଡା ଲକ୍ଷ୍ମୀପୁର ଗ୍ରାମର ଜଣେ ଯୁବ ଚାଷୀ ସୁଶାନ୍ତ ବିଡ଼ିକା । ନିଜ ଗ୍ରାମରେ ରହି ପରିବା ବ୍ୟବସାୟୀରୁ ସଫଳ ଘୁଷୁରି ଚାଷୀ ହୋଇପାରିଛନ୍ତି ସୁଶାନ୍ତ । ଏହାଦ୍ୱାରା ସେ ନିଜର ଆର୍ôଥକ ସ୍ଥିତିରେ ସୁଧାର ଆଣିପାରିଛନ୍ତି ।

  • ପରିବା ବ୍ୟବସାୟୀରୁ ସଫଳ ଘୁଷୁରି ଚାଷୀ
  • ଧଳା ଘୁଷୁରି ଦେଉଛି ଭଲ ରୋଜଗାର

ରାୟଗଡା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଲଣ୍ଡା ଲକ୍ଷ୍ମୀପୁର ଗାଁର ସୁଶାନ୍ତ ବିଡ଼ିକା । ପରିବାର ପ୍ରତିପୋଷଣ ପାଇଁ ପ୍ରଥମେ ବାହାର ରାଜ୍ୟରେ ଦାଦାନ ଖଟୁଥିଲେ । କିଛି ବର୍ଷ ବାହାର ରାଜ୍ୟରେ କାମ କରିବା ପରେ କିଛି କିଛି ଅର୍ଥ ସଞ୍ଚୟ କରି ନିଜ ଭିଟାମାଟିକୁ ଫେରି ଆରମ୍ଭ କଲେ ପରିବା ବ୍ୟବସାୟ । ଗୁଣୁପୁରୁରୁ ପରିବା କିଣି ଗୁଡ଼ାରୀ ତଥା ଆଖପାଖ ଅଞ୍ଚଳରେ ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ନୂଆ କିଛି କରିବା ଆଶାରେ ପଶୁସମ୍ପଦ ବିଭାଗ ସହଯୋଗରେ ଆରମ୍ଭ କଲେ ଧଳା ଘୁଷୁରି ଚାଷ । ୨୦୨୦ ମସିହାରେ ପ୍ରଥମେ ୮ଟି ଧଳା ଘୁଷୁରି ଆଣି ଏହି ଚାଷ ଆରମ୍ଭ କରିଥିଲେ ସୁଶାନ୍ତ । ପଶୁ ସମ୍ପଦ ବିଭାଗ ସହଯୋଗରେ କିଛି ରୁଣ ନେଇ ଏହି ଚାଷକୁ ବଢ଼ାଇଥିଲେ । ଏବେ ତାଙ୍କ ଫାର୍ମରେ ୧୫୦ରୁ ଉଦ୍ଧ୍ୱର୍ ଘୁଷୁରି ଅଛନ୍ତି ।

ଚାଷୀ ଜଣକ ଘୁଷୁରି ଗୁଡିକର ନିୟମିତ ଯତ୍ନ ନିଅନ୍ତି । ଖାଦ୍ୟ ଦେବା ଠାରୁ ଆରମ୍ଭ କରି ଘୁଷୁରି ମାନଙ୍କୁ ଗଧୋଇ ଦିଅନ୍ତି । ବର୍ତମାନ ଚାଷୀ ଜଣକ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳକୁ ଘୁଷୁରି ଯୋଗାଇ ବେଶ ସ୍ୱବଲମ୍ବୀ ହେବା ସହ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏହି ଅଞ୍ଚଳର ଅଧିକାଂଶ ଲୋକ ପାରମ୍ପରିକ ପଦ୍ଧତିରେ ଚାଷ କରି ଜୀବିକା ନିର୍ବାହ କରୁଥିବା ବେଳେ ସୁଶାନ୍ତଙ୍କ ସଫଳ ଘୁଷୁରି ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।