ସୁଶାନ୍ତ ସିଂହ ବ୍ୟାଙ୍କ ଖାତାର ହେବ ଫରେନସିକ୍ ଯାଂଚ : ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ସୂଚନା; ରିଆ ଚକ୍ରବର୍ତିଙ୍କ ଆକାଉଂଟରୁ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ

353

କନକ ବ୍ୟୁରୋ : ବଢ଼ୁଛି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ । ସୁଶାନ୍ତଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ମୁମ୍ବାଇରେ ଯାଇ ତନାଘନା କରୁଛି ବିହାର ପୋଲିସ୍ । ହେଲେ ଏଥିରେ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରୁଛି ବିହାର ପୋଲିସ । ମୃତ୍ୟୁ ରହସ୍ୟ ବଢ଼ିବଢ଼ି ଚାଲିଥିବାବେଳେ ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି ଦାବି କରିଛନ୍ତି ସୁଶାନ୍ତଙ୍କ ପରିବାର ପକ୍ଷରୁ ଲଢ଼ୁଥିବା ଆଇନଜୀବୀ । ସେପଟେ ସିବିଆଇକୁ ମାମଲା ହସ୍ତାନ୍ତର ନେଇ ଜନସ୍ୱାର୍ଥ ମାମଲାର ବମ୍ବେ ହାଇକୋର୍ଟରେ ଆଜି ଶୁଣାଣ ହେବ । ସେହିପରି ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢମାସ ପରେ ତାଙ୍କ ବାପା କେକେ ସିଂ ଏକ ଭିଡିଓ ଜାରି କରି ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି, ତାଙ୍କ ପୁଅ ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଗତ ଫେବ୍ରୁଆରୀ ୨୫ ତାରିଖରେ ମୁମ୍ବାଇର ବାନ୍ଦ୍ରା ପୋଲିସକୁ ଅବଗତ କରିଥିଲେ । ତେବେ ପୋଲିସ କିଛି ପଦକ୍ଷେପ ନେଇନଥିଲା ।

ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ପରେ ପରଦିନ ଅର୍ଥାତ୍ ୧୫ ଜୁନରେ ସେ ପୁଣିଥରେ ବାନ୍ଦ୍ରା ପୋଲିସକୁ ଫୋନ୍ କରିଥିଲେ । ପୋଲିସକୁ ଅନୁରୋଧ କରିଥିଲେ ଯେ, ୨୫ ଫେବ୍ରୁଆରୀରେ ସେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ସୁଶାନ୍ତଙ୍କ ମୃତ୍ୟୁର ୪୦ ଦିନ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହାପରେ ସେ ପାଟନା ଯାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଟନା ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ତଦନ୍ତ ଆରମ୍ଭ କରିଛି ହେଲେ ଅଭିଯୁକ୍ତ ଏବେ ଫେରାର ହୋଇଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ କରିଛନ୍ତି ।