ମୁମ୍ବାଇରୁ ମୃତ୍ୟୁର ଖବର ଆସିଲା, ପହିଲି ରଜରେ ଓଡିଶା ଲୁହ ପୋଛିଲା । ରଜରେ ବଲିଉଡର ‘ରାଜପୁତ’ ବିଦାୟ ନେବା ପରେ ମଉଳିଗଲା ସବୁ ମଉଜ…

ସମୟ ପାଖାପାଖି ମଧ୍ୟାହ୍ନ ପାର କରୁଥିବ । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ ପହିଲି ରଜର ସମୟ ସରିସରି ଆସିବା ବେଳେ ଓଡିଶା କାନରେ ପଡିଥିଲା ସୁଶାନ୍ତଙ୍କ ସୁଇସାଇଡ ଖବର । ବାସ ତା ପରେ ବାକ୍ ଶୂନ୍ୟ ହୋଇଥିଲେ ସମସ୍ତେ । ଖାଲି ସୁଶାନ୍ତ ସିଂ ରାଜପୁତଙ୍କ ସମର୍ଥକ ନୁହଁନ୍ତି ପିଲାଠୁ ବୁଢା ଯାଏଁ ଯିଏ ତାଙ୍କ ବାବଦରେ କିଛି କିଛି ଜାଣିଛି ସିଏ କାନ୍ଦୁଥିଲା । ମୁଣ୍ଡରେ ହାତ ଦେଇ ଭାଳି ହେଉଥିଲା । ବାରମ୍ବାର କହୁଥିଲା ଆଉ ନାହାନ୍ତି ସୁଶାନ୍ତ... ସୁଶାନ୍ତ ଚାଲିଗଲେ...

1,020

କନକ ବ୍ୟୁରୋ: ଓଡିଶାରେ ପହିଲି ରଜ । ମୌସୁମୀ ଛୁଇଁବା ପରେ ଓଦାଓଦା ମାଟି, ମେଘୁଆ ଆକାଶ । ଗାଁ ଗଣ୍ଡା, ସହର ବଜାର ସବୁଠି ରଜ ପାଗ, ପହିଲି ରଜର ପ୍ରଥମ ଛୁଆଁ । ଯଦିଓ କରୋନା କଟକଣା ଓ ସଟଡାଉନ ପାଇଁ ଘରେ ରହି ଓଡିଶା ରଜ ପାଳିଛି ତଥାପି ଘରେ ଘରେ ପିଠାପଣା, ଖିଲି ପାନ ଓ ଦୋଳିର ମଜା । ଯେତେବେଳେ ସାରା ଓଡିଶା ଘର ଭିତରେ ଲୁଡୁ, ତାସ ଖେଳି ପରିବାର ସହ ସାଙ୍ଗ ହୋଇ ଟିଭି ସିନେମା ଦେଖି ରଜ ମଉଜ କରୁଥିଲା ଠିକ୍ ସେତିକି ବେଳେ ମୁମ୍ବାଇରୁ ଆସିଥିଲା ମୃତ୍ୟୁର ଖବର । ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟାର ଖବର ଶୁଣି ସ୍ତବ୍ଧ ପାଲଟିଥିଲା ସାରା ଓଡିଶା । ଆଉ ପହିଲି ରଜରେ ଓଡିଶା ପୋଛିଲା ଆଖିର ଲୁହ ।

ସମୟ ପାଖାପାଖି ମଧ୍ୟାହ୍ନ ପାର କରୁଥିବ । ଘଣ୍ଟା କଣ୍ଟାର ଟିକଟିକ ଶବ୍ଦରେ ପହିଲି ରଜର ସମୟ ସରିସରି ଆସିବା ବେଳେ ଓଡିଶା କାନରେ ପଡିଥିଲା ସୁଶାନ୍ତଙ୍କ ସୁଇସାଇଡ ଖବର । ବାସ ତା ପରେ ବାକ୍ ଶୂନ୍ୟ ହୋଇଥିଲେ ସମସ୍ତେ । ଖାଲି ସୁଶାନ୍ତ ସିଂ ରାଜପୁତଙ୍କ ସମର୍ଥକ ନୁହଁନ୍ତି ପିଲାଠୁ ବୁଢା ଯାଏଁ ଯିଏ ତାଙ୍କ ବାବଦରେ କିଛି କିଛି ଜାଣିଛି ସିଏ କାନ୍ଦୁଥିଲା । ମୁଣ୍ଡରେ ହାତ ଦେଇ ଭାଳି ହେଉଥିଲା । ବାରମ୍ବାର କହୁଥିଲା ଆଉ ନାହାନ୍ତି ସୁଶାନ୍ତ… ସୁଶାନ୍ତ ଚାଲିଗଲେ…

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଖାଲି ବିହାରରୁ ବମ୍ବେ ନୁହେଁ ବରଂ ଓଡିଶା ଆଖି ବି ଓଦା ହୋଇଛି । ସୁଶାନ୍ତଙ୍କ ଫ୍ୟାନମାନେ ତାଙ୍କ ଚର୍ଚ୍ଚିତ ଫିଲ୍ମ, ଲୋକପ୍ରିୟ ଡାଇଲଗକୁ ମନେପକାଇ ଶବ୍ଦର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେପଟେ ପୁଅ ପରପାରିକୁ ଚାଲିଯିବା ପରେ ପଥର ପାଲଟିଛି ପୂରା ପରିବାର, ବାକଶୂନ୍ୟ ବାପା । ଘରର ଏକୋଇର ବୋଳା ବିଶିକେସନର ଆତ୍ମହତ୍ୟା ଖବର ଆତ୍ମୀୟଙ୍କ ଆଖି ଓଦା କରିଥିବା ବେଳେ ପୁଅ ମୃତ୍ୟୁର ସତକୁ ଏବେବି ଗ୍ରହଣ କରିପାରୁ ନାହାନ୍ତି ବାପା । ସେଇଥିପାଇଁ ତ ସୁଶାନ୍ତଙ୍କ ମୃତ୍ୟୁ କଥା ଶୁଣି ଜନ୍ମମାଟି ବିହାର ପାଟଣା ସ୍ଥିତ ରାଜୀବନଗର ଗାଁରେ ବାପା ବାରମ୍ବାର ମୁର୍ଚ୍ଛା ଯାଉଛନ୍ତି ।

ତେବେ ‘ଆତ୍ମହତ୍ୟା’ କୌଣସି ସମସ୍ୟାର ସମାଧାନ ନୁହେଁ । ଫିଲ୍ମ ଛିଛୋରେରେ ଏହି ଡାଇଲଗ କହି ଅନେକଙ୍କ ମନକୁ ବେଶ ପ୍ରଭାବିତ କରିଥିଲେ ସୁଶାନ୍ତ । ଜୀବନ ସଂର୍ଘଷରେ ହାରିଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା କମ ବୟସ୍କ ପିଲାଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଥିଲେ । ଏହି ଡାଇଗଲ ପାଇଁ ପ୍ରଶଂସା, ଚର୍ଚ୍ଚା ସାଉଁଟିଥିବା ସୁଶାନ୍ତ ସିଂ କିନ୍ତୁ ନିଜ ଜୀବନ ଯୁଦ୍ଧରେ ହାରିଯାଇ ଶେଷରେ ଆତ୍ମହତ୍ୟା କରିଛନ୍ତି ।

ମୁମ୍ବାଇ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର ପରେ ପୁଲିସ କହିଛି ପ୍ରାୟ ୬ମାସ ହେଲା ଅଭିନେତା ମାନସିକ ଚାପଗ୍ରସ୍ତ ଥିଲେ । ଅନ୍ୟପଟେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ଶେଷ ପୋଷ୍ଟ ମଧ୍ୟ ତାଙ୍କ ଜୀବନର ଉଥାନପତନକୁ ଇଙ୍ଗିତ କରିଛି । ଜୁନ ୩ ତାରିଖରେ ସୁଶାନ୍ତ ଇନଷ୍ଟାଗ୍ରାମରେ ନିଜ ମାଙ୍କ ଫଟୋକୁ ପୋଷ୍ଟ କରି ଏକ ଦୁଃଖ ଭରା ଲେଖା ଛାଡିଥିଲେ । ମାଙ୍କ ସହ ନିଜ ଫଟୋକୁ ପୋଷ୍ଟ କରି ସୁଶାନ୍ତ ଲେଖିଥିଲେ ‘ଆଖିର ଲୁହରେ ହଜିଯାଉଥିବା ଅତୀତ, ଅଧୁରା ରହିଥିବା ସ୍ୱପ୍ନ ଏବେ ହସୁଛି । ସ୍ୱପ୍ନ ଓ ଅତୀତ ଭିତରେ ଦ୍ରୁତ ଗତିରେ ଦୌଡୁଥିବା ଜୀବନ ଏମାନଙ୍କ ମଧ୍ୟରେ ବୁଝାମଣା କରୁଛି…’

ସୁଶାନ୍ତ ଏହି ପୋଷ୍ଟରୁ ହିଁ ସ୍ପଷ୍ଟ ରୂପରେ ବାରି ହୋଇପଡୁଥିଲା ତାଙ୍କ ଜୀବନରେ ହୁଏତ ସବୁକିଛି ଠିକ ନଥିଲା । ମନର କଥାକୁ ମାଙ୍କ ଫଟୋରେ ସହ ପୋଷ୍ଟ କରି ସେ ନିଜ କଥା ପ୍ରକାଶ କରିଥିଲେ । ୩୪ବର୍ଷ ବୟସରେ ଆଖି ବୁଜିଥିବା ସୁଶାନ୍ତଙ୍କର ଅନେକ ସ୍ୱପ୍ନ ଥିଲା । ଇନଷ୍ଟାଗ୍ରାମରେ ସେଭଳି କିଛି ପୋଷ୍ଟ ଦେଖିବାକୁ ମିଳିଥିଲା । କ୍ରୀଡାପ୍ରେମୀ ସୁଶାନ୍ତ ଲେପ୍ଟହ୍ୟାଣ୍ଡ ବ୍ୟାଟସମ୍ୟାନଭାବେ ମଧ୍ୟ କ୍ରିକେଟ ଖେଳିବାକୁ ଚାହୁଁଥିଲେ । ଶେଷରେ ଏକଥା ବି ଲେଖିଥିଲେ କି ଜଣେ ଅଭିନେତା ଭାବେ ଏହି ସମସ୍ତ ସ୍ୱପ୍ନ ପୂରା କରିବା ହୁଏତ ଅସମ୍ଭବ । ତେବେ ସ୍ୱପ୍ନ ପଛରେ ଦୌଡୁଥିବା ସୁଶାନ୍ତ ଆଜି ସବୁଦିନ ପାଇଁ ଶୋଇଯାଇଛନ୍ତି ।