ସୁଶାନ୍ତଙ୍କ ଫେରିବା ବାଟକୁ ଚାହିଁ ବସିଛି ପୋଷା କୁକୁର ଫଜ୍ । ମୋବାଇଲରେ ମାଲିକକୁ ଖୋଜୁଛି, ବାଲକୋନିରୁ ବାରମ୍ବାର ଚାହିଁ ରହୁଛି ।

4,401

କନକ ବ୍ୟୁରୋ : ବଲିଉଡ଼ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛନ୍ତି ସିନେପ୍ରେମୀ ଏବଂ ତାଙ୍କ ପ୍ରିୟ ମଣିଷ । ଏଥିରୁ ବାଦ ପଡ଼ିନି ତାଙ୍କର ପୋଷା କୁକୁର ଫଜ୍ । ସୁଶାନ୍ତଙ୍କ ମୃତ୍ୟୁ ପରେ ନିରବୀ ଯାଇଛି ଫଜ୍ । ମନେ ମନେ ଖୋଜିବା ସହ ତାଙ୍କ ଫେରିବା ବାଟକୁ ଜଗି ବସିଛି ତାଙ୍କ ପୋଷା କୁକୁର ।

କୁକୁର ଆଖିରେ ଲୁହ । ପାଂଚ ଦିନ ହେଲା ମୋବାଇଲରେ ସୁଶାନ୍ତଙ୍କୁ ଖୋଜୁଛି ଫଜ୍ । ନା କିଛି ଖାଉଛି, ନା ପିଉଛି ଘଂଟା ଘଂଟା ଧରି ମୋବାଇଲକୁ ଚାହିଁ ରହୁଛି । ମାଲିକକୁ ଝୁରି ଝୁରି ଭୁକିବା ବି ବନ୍ଦ କରିଦେଇଛି ଏହି ପୋଷା ଜୀବ । ସ୍ମାର୍ଟ ଫୋନର ସ୍କ୍ରିନ ଭିତରେ ସୁଶାନ୍ତଙ୍କୁ ଖୋଜୁଛି ତାଙ୍କ ପ୍ରିୟ ପୋଷା କୁକୁର । ବାହାରେ ଟିକେ ଶବ୍ଦ ହେଲେ କବାଟ ପାଖକୁ ଦୌଡ଼ି ଯାଉଛି । କାଳେ ସୁଶାନ୍ତ ସୁଟିଂରୁ ଫେରିଆସିଛନ୍ତି ଏଇଆ ଭାବୁଥିବା ଫଜ୍ ।

ଖାଲି ସେତିକି ନୁହେଁ ଘର ଭିତରେ କ୍ଷଣକେ ବସୁନି ଫଜ୍ । ଏ ଘର ସେ ଘର ହୋଇ ସୁଶାନ୍ତଙ୍କୁ ଖୋଜୁଛି । କବାଟ କୋଣ ବି ଦେଖୁଛି କାଳେ ସୁଶାନ୍ତ ଲୁଚିଥିବେ । ସୁଶାନ୍ତଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଗଲେ ଘର କାନ୍ଥରେ ଥିବା ଫଟୋକୁ ଚାହିଁ ରହୁଛି ପୋଷା କୁକୁର । ମଣିଷର ବିଶ୍ୱସନୀୟ କୁକୁର ବୋଧହୁଏ ଜାଣିନି ଅଫେରା ରାଇଜରୁ ସୁଶାନ୍ତ ଆଉ କେବେ ଫେରିବେନି । ତଥାପି ଫଜ୍, ଚାତକ ପରି ଚାହିଁ ରହିଛି ସୁଶାନ୍ତଙ୍କ ଫେରିବା ବାଟକୁ ।

ଫଜ୍ ଆଖିରେ ଲୁହ । ସୁଶାନ୍ତଙ୍କୁ ଖୋଜୁଛି ପୋଷା କୁକୁର । ଖାଲି ଫଜ୍ ନୁହେଁ ସୁଶାନ୍ତ ମଧ୍ୟ ତାକୁ ବହୁତ ଭଲ ପାଉଥିଲେ । ସବୁ କାମରୁ ସମୟ ବାହାର କରି ସୁଶାନ୍ତ ତାଙ୍କ ପୋଷା କୁକୁର ସହ ଅନେକ ସମୟ ବିତାଉଥିଲେ । ଏମିତିକି ସୁଶାନ୍ତ ମଧ୍ୟ କହିଥିଲେ ତାଙ୍କ ଫେରିବା ବାଟକୁ ସବୁବେଳେ ଚାହିଁ ବସିଥାଏ ଫଜ୍ । ଆଉ ତାଙ୍କୁ ପାଖରେ ପାଇଲା ପରେ ଅଜାଡ଼ି ପକାଏ ଅଜଶ୍ର ଭଲପାଇବା । ମଣିଷ କୁକୁର ମଧ୍ୟରେ ଏହି ନିଆରା ସମ୍ପର୍କ ବୟାନ କରୁଛି ସୁଶାନ୍ତଙ୍କୁ କେତେ ଭଲପାଏ ଫଜ୍ । ମଣିଷ ଭଳି ସିନା ସେ ତାର ଦୁଃଖକୁ ପରିପ୍ରକାଶ କରିପାରୁନି, ହେଲେ ମନେ ମନେ ସୁଶାନ୍ତଙ୍କ ଅନୁପସ୍ଥିତିକୁ ଝୁରୁଛି ।