ଅଲବିଦା ସୁଶାନ୍ତ । ପଞ୍ଚଭୂତରେ ଲୀନ ହେଲା ସୁଶାନ୍ତଙ୍କ ପାର୍ଥୀବ ଶରୀର । ଶ୍ମଶାନରେ ଲୁହ ଢାଳି ସମସ୍ତେ ଦେଲେ ଶେଷ ବିଦାୟ…

1,594

କନକ ବ୍ୟୁରୋ: ଶେଷଯାତ୍ରାରେ ସୁଶାନ୍ତ । ପଞ୍ଚଭୂତରେ ଲୀନ ହେଲେ ବଲିଉଡର ଖ୍ୟାତନାମା କଳାକାର ସୁଶାନ୍ତ ସିଂ ରାଜପୁତ। ମୁମ୍ବାଇର ଭିଲେପା‌ର୍ଲେ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଅନ୍ତିମ ସଂସ୍କାର ପାଇଁ ସୁଶାନ୍ତଙ୍କ ପରିବାର ଲୋକ ପାଟନାରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଆଉ ଶ୍ମଶାନରେ ପୁଅକୁ ଶେଷ ଦର୍ଶନ କରିବା ପରେ ଲୁହ କୋହରେ ବତୁରିଥିଲା ପୂରା ପରିବେଶ । ସୁଶାନ୍ତଙ୍କ ବାପା ପୁଅକୁ ଶ୍ମଶାନରେ ଦେଖି ନିଜକୁ ସମ୍ଭାଳି ପାରିନଥିଲେ । କାନ୍ଦି କାନ୍ଦି ନିଜ ଭାଗ୍ୟକୁ ଧିକାର କରୁଥିଲେ । ଆଉ ସାଙ୍ଗ-ସମ୍ପର୍କୀୟ ସୁଶାନ୍ତଙ୍କ ମୃତ୍ୟୁକୁ ଆଜି ବି ବିଶ୍ୱାସକୁ ନେଇ ପାରୁନାହାନ୍ତି । ସମର୍ଥକଙ୍କ ଠାରୁ ସେଲିବ୍ରିଟି, ଆତ୍ମିୟ ଲୋକଙ୍କ ଠାରୁ ପ୍ରଖ୍ୟାତ ଅଭିନେତା ସମସ୍ତେ ଶ୍ମାଶାନ ଆସି ସୁଶାନ୍ତଙ୍କୁ ଲୁହର ଶେଷ ବିଦାୟ ଜଣାଇଛନ୍ତି । ଆଉ କରୋନା କଟକଣା ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଆଖିରେ ଲୁହ ଓ ମନରେ ପ୍ରଶ୍ନ ଭିତରେ ତାଙ୍କ ଜୁଇ ଜଳିଛି ।

ତେବେ କରୋନା କଟକଣା ପାଇଁ ଅଳ୍ପ କିଛି ସେଲିବ୍ରିଟି ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶେଷଯାତ୍ରା ହୋଇଥିଲା ଏବଂ ପରେ ଶେଷ ସଂସ୍କାର କରାଯାଇଛି । ଫିଲ୍ମରେ ସୁଶାନ୍ତଙ୍କ ସହ କାମ କରିଥିବା କିଛି ଅଭିନେତା ଓ ଅଭିନେତ୍ରୀ ଶେଷ ଦର୍ଶନ ସହ ବିଦାୟ ଜଣାଇବାକୁ ଶ୍ମଶାନରେ ପହଁଚିଥିଲେ । କ୍ରିତି ସାନନ, ଶ୍ରଦ୍ଧା କପୁର ଓ ବିବେକ ଓବରଏଙ୍କ ଭଳି ସେଲିବ୍ରିଟି ସୁଶାନ୍ତଙ୍କ ଅନ୍ତେଷ୍ଟିରେ ସାମିଲ ହୋଇଥିଲେ । ତେବେ ମନକୁ ବୁଝାଇ ସୁଶାନ୍ତଙ୍କୁ ସମସ୍ତେ ସିନା ବିଦାୟ ଦେଲେ ହେଲେ ଏବେବି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ ।