ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଉପରୁ ହଟିବ ପରଦା : ସିବିଆଇକୁ ଏମ୍ସ ରିପୋର୍ଟରେ ବଡ ଖୁଲାସା, ସୁଶାନ୍ତଙ୍କ ଶରୀରରୁ ମିଳିନି ବିଷ

995

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ତଦନ୍ତ ନେଇ ପୁଣି ବଢିଛି ହଲଚଲ । ଏମ୍ସର ସ୍ୱତନ୍ତ୍ର ଟିମ ସୁଶାନ୍ତ ମୃତ୍ୟୁର ବିଭିନ୍ନ ଦିଗ ଉପରେ ଯାଂଚ କରି ସିବିଆକୁ ରିପୋର୍ଟ ଦେଇଛି । ଏବେ ଆଶା କରାଯାଉଛି, ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ହଟିବ । ଆଉ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ସିବିଆଇକୁ ବଡ ସଫଳତା ମିଳିବ । ଗତକାଲି ଏମ୍ସ ସିବିଆଇକୁ ରିପୋର୍ଟ ଦେଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଏମ୍ସ ରିପୋର୍ଟରେ ବଡ ଖୁଲାସା ହୋଇଛି । ସୁଶାନ୍ତଙ୍କ ଶରୀରରୁ କୌଣସି ବିଷ ମିଳନାହିଁ ।

ତେବେ କୁହାଯାଉଛି, କୁପର ହସପିଟାଲର ଡାକ୍ତରଙ୍କୁ କୌଣସି ପ୍ରକାରର କ୍ଲିନଚିଟ ଦିଆଯାଇନାହିଁ । କୁପର ହସ୍ପିଟାଲ ଉପରେ ଏବେ ବି ବଡ ପ୍ରଶ୍ନ ଚିହ୍ନ ଲାଗିଛି । ଏମ୍ସ ରିପୋର୍ଟରେ କୁହାଯାଇଛି, ସୁଶାନ୍ତ ମାମଲାରେ ହସ୍ପିଟାଲ ଅବହେଳା କରିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ହସପିଟାଲ ପକ୍ଷରୁ ଅଟୋପ୍ସି କରାଯାଇଥିଲା । ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ସୁଶାନ୍ତଙ୍କ ଗଳାରେ କୌଣସି ଚିହ୍ନ ନାହିଁ ବୋଲି ହସପିଟାଲ ପକ୍ଷରୁ କୁହାଯାଇଥିଲା । ଏପରିକି ସୁଶାନ୍ତଙ୍କ ମୃତ୍ୟୁ ସମୟ ସମ୍ପର୍କରେ ବି କିଛି କୁହାଯାଇନଥିଲା ।

ବର୍ତ୍ତମାନ ରିପୋର୍ଟ ଆସିବା ପରେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି । ସିବିଆଇ ଏବେ ସତ ଜାଣିବାକୁ ଚେଷ୍ଟା କରିବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା ନା ହତ୍ୟା । ସିବିଆଇ ବର୍ତ୍ତମାନ ରିପୋର୍ଟ ସହ କ୍ରାଇମ ସିନ, ସାକ୍ଷ୍ୟ, ବୟାନ ଓ ଅନ୍ୟ ପରିସ୍ଥିତିକୁ ମିଳାଇବ । ଏହି ମାମଲାରେ ଏମ୍ସର ରିପୋର୍ଟ ହେଉଛି ଏକ ଅଂଶ । ତେଣୁ ମାମଲା ଆଗକୁ କିଭଳି ବଢିବ ସେ ନେଇ ସିବିଆଇ ନିଷ୍ପତି ନେବ । ଏମ୍ସ ଟିମ୍ ସୁଶାନ୍ତଙ୍କ ଅଟୋପ୍ସି ରିପୋର୍ଟ, ଭିସେରା ରିପୋର୍ଟ ସମେତ ଅନ୍ୟ ମେଡିକାଲ ରିପୋର୍ଟର ମୂଲ୍ୟାଙ୍କନ କରିଛି । ସିବିଆଇ ମାମଲାରେ ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି ।