କନକ ବ୍ୟୁରୋ : ରବିବାର ଅବସାଦଗ୍ରସ୍ତତା ହେତୁ ଆତ୍ମହତ୍ୟା କରିଥିଲେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଏବେ ଯାଏଁ ତାଙ୍କ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସି ନ ଥିବା ବେଳେ ଗତକାଲି ପରିବାରଠାରୁ ଅନ୍ତିମ ବିଦାୟ ନେଇଛନ୍ତି ସୁଶାନ୍ତ । ମୁମ୍ବାଇରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଗତକାଲି ଗଙ୍ଗାରେ ତାଙ୍କର ଅସ୍ଥି ବିସର୍ଜନ କରିଛନ୍ତି ପରିବାର ଲୋକେ । ଅସ୍ଥି ବିସର୍ଜନ ସମୟର ଏକ ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସୁଶାନ୍ତଙ୍କ ବାପା ଏବଂ ଆମେରିକାରେ ରହୁଥିବା ତାଙ୍କ ଭଉଣୀ ଶ୍ଵେତା ଅସ୍ଥି ବିସର୍ଜନ କରୁଥିବା ଦେଖାଯାଇଛି ।
ସୁଶାନ୍ତଙ୍କ ଭଉଣୀ ବୁଧବାର ଭାରତରେ ପହଞ୍ଚିଥିବା ବେଳେ ଗତକାଲି ସେ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅସ୍ଥି ବିସର୍ଜନ ପୂର୍ବରୁ ଶ୍ଵେତା ଏକ ପୋଷ୍ଟ କରି ଲେଖିଥିଲେ ଯେ, ଆଜି ଆମେ ଭାଇର ଅସ୍ଥି ବିସର୍ଜନ କରିବୁ । ମୁଁ ପୁନର୍ବାର ସମସ୍ତଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଏବଂ ତାଙ୍କୁ ଏକ ସ୍ନେହପୂର୍ଣ୍ଣ ଢ଼ଙ୍ଗରେ ଏବଂ ଖୁସିରେ ବିଦାୟ ଦେବା ପାଇଁ ଅନୁରୋଧ କରୁଛି । ଗଙ୍ଗାରେ ଅସ୍ଥି ବିସର୍ଜନ ପରେ ଅନ୍ୟ ରୀତିନୀତି ସବୁ ସୁଶାନ୍ତଙ୍କ ଜନ୍ମସ୍ଥାନ ପାଟନାରେ ହେବ ବୋଲି ଜଣାପଡିଛି ।