ମାନସିକ ଚାପରୁ ଆତ୍ମହତ୍ୟା ! ୬ ମାସ ଧରି ମାନସିକ ଚାପରେ ଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଗତ ସନ୍ଧ୍ୟାରେ ସାଙ୍ଗମାନେ ଯିବା ପରେ ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ

12,937

କନକ ବ୍ୟୁରୋ: ମାନସିକ ଚାପରେ ଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଗତ ୬ ମାସ ଧରି ଚାପଗ୍ରସ୍ତ ଥିଲେ । ଗତକାଲି ସନ୍ଧ୍ୟାରେ କିଛି ବନ୍ଧୁ ତାଙ୍କ ଘରକୁ ଆସିଥିଲେ । ଘରେ ସାଙ୍ଗଙ୍କ ସହ ଆଲୋଚନା ପରେ ସେମାନେ ଚାଲିଯାଇଥିଲେ ଏବଂ ପରେ ସୁଶାନ୍ତ ସିଂ ଆତ୍ମହତ୍ୟାର ବାଟ ବାଛି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ।

ତେବେ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ବେକରେ ଫାଶୀ ଲଗାଇ ଅଭିନେତା ସୁସାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ଜଣାପଡିନଥିବା ବେଳେ ସୁଶାନ୍ତ ସିଂଙ୍କ ଘରୋଇ ସହାୟକ ଏନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଝୁଲନ୍ତା ମୃତଦେହକୁ ବାସଭବନରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟପଟେ ପାଟନାରେ ଥିବା ତାଙ୍କ ପରିବାର ଲୋକ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ସୁସାନ୍ତ ସିଂ ରାଜପୁତ । ଏହି ଫିଲ୍ମ ଦର୍ଶକଙ୍କ ପାଖରେ ତାଙ୍କୁ ବେଶ ଲୋକପ୍ରିୟ କରାଇଥିଲେ । ଲୋକପ୍ରିୟ ଧାରାବାହିକ ପବିତ୍ର ରିସ୍ତାରେ ନିଖୁଣ ଅଭିନୟ ତାଙ୍କୁ ଦର୍ଶକଙ୍କ ପାଖରେ ନିକଟତର କରିଥିଲା ସେହିପରି କାୟପୋଛେ ଫିଲ୍ମ ଜରିଆରେ ବଲିଉଡକୁ ପ୍ରବେଶ କରିଥିଲେ ସୁଶାନ୍ତ ରାଜପୁତ । ସେହିପରି ଡିଟେକ୍ଟିଭ ବ୍ୟୋମକେଶ, ଛିଛୋରେ, ସୁଦ୍ଧ ଦେଶୀ ରୋମାନ୍ସ, କେଦାରନାଥ, ରାଫତା, ଡ୍ରାଇଭ ଭଳି ଫିଲ୍ମରେ ସେ ନିଜ ଅଭିନୟର ଛାପ ଛାଡି ଯାଇଛନ୍ତି । ନିଜ ଅଭିନୟ ପାଇଁ ସୁଶାନ୍ତ ସିଂ ରାଜପୁତ, ଫିଲ୍ମଫେୟାର ଆୱାର୍ଡ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି । ଉଭୟ ଛୋଟ ଓ ବଡ ପରଦାର ଲୋକପ୍ରିୟ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ ।