ସୁଶାନ୍ତ ସିଂ ରାଜପୁତ ଏଭଳି ଅଭିନେତା, ଯିଏ କୌଣସି ଅଡିସନରେ ହୋଇନାହାନ୍ତି ଫେଲ୍ । ଖୁବ୍ କମ୍ ଦିନରେ ସାଉଁଟିଛନ୍ତି ସଫଳତା । ଆଜି ବି ଝୁରୁଛନ୍ତି କୋଟି କୋଟି ଫ୍ୟାନ୍…

185

କନକ ବ୍ୟୁରୋ: ଶୁସାନ୍ତ ସିଂ ରାଜପୁତ । ବଲିଉଡର ଏମିତି ଏକ ଚେହେରା ଥିଲେ ଯାହାଙ୍କୁ ଆଜିବି ଝୁରୁଛନ୍ତି ଫ୍ୟାନ । ନିଜ ଦକ୍ଷତା ବଳରେ ଖୁବଶୀଘ୍ର ସେ ବଲିଉଡରେ ପ୍ରବେଶ କରିଥିଲେ । ହେଲେ ଅଳ୍ପ ସମୟ ପାଇଁ ବଲିଉଡରେ ଚିକମିକ କରୁଥିବା ଏହି ତାରା ସବୁଦିନ ପାଇଁ ଲିଭି ଯାଇଥିଲା । ଶୁସାନ୍ତ ସିନା ଆଜି ଆମ ଭିତରେ ନାହାନ୍ତି ହେଲେ ତାଙ୍କୁ ଆଜି ବି ମନେ ରଖିଛନ୍ତି ତାଙ୍କର ପ୍ରତିଟି ଫ୍ୟାନ । ଆଜି ଶୁସାନ୍ତଙ୍କ ମୃତ୍ୟୁକୁ ପୂରିଛି ବର୍ଷେ । ଠିକ ବର୍ଷେ ତଳେ ନିଜ ଘରେ ଝୁଲନ୍ତା ଅବସ୍ଥାରେ ଶୁସାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ବର୍ଷ ତଳେ ଆସିଥିବା ଏହି ଦୁଃଖ ଆଜି ପୁଣି ସତେଜ ହୋଇ ଯାଇଛି । ଆଉ ପୁଣି ମନେ ପଡିଛନ୍ତି ଶୁସାନ୍ତ । ବିଶ୍ୱାସ କରି ହେଉନି ଶୁସାନ୍ତଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି ବୋଲି । ହେଲେ ଆଜି ବି ତାଙ୍କ ସ୍ମୃତି ସେମିତି ଲୋକମାନଙ୍କ ଭିତରେ ତାଜା ହୋଇ ରହିଛି । ତାଙ୍କ ଅଭିନିତ ଚଳଚ୍ଚିତ୍ରକୁ ଆଜି ବି ଲୋକମାନେ ଦେଖି ଆଖିରୁ ଲୁହ ଗଡାଉଛନ୍ତି । ଆଉ ଶୁସାନ୍ତଙ୍କୁ ଝୁରୁଛନ୍ତି ।

ନିଜ ନିକ୍ଷୁଣ ଅଭିନୟରେ ଲୋକମାନଙ୍କୁ ବାନ୍ଧି ରଖୁଥିଲେ ଶୁସାନ୍ତ । କୁହାଯାଉଛି ଫିଲ୍ମ ପାଇଁ ଦେଇଥିବା କୌଣସି ବି ଅଡିସନରେ ସେ କେବେ ଫେଲ ହୋଇ ନାହାନ୍ତି । କାଇ ପୋଚେ ଠୁ ନେଇକି ଦିଲ ବେଚାରା ଯାଏଁ ସବୁ ଫିଲ୍ମର ଅଡିସନରେ ସେ ଡାଇରେକ୍ଟରଙ୍କ ହୃଦୟ ଜିତିଥିଲେ । କେବଳ ଡାଇରେକ୍ଟର ନୁହେଁ ସେ ଫ୍ୟାନମାନଙ୍କୁ ମଧ୍ୟ ନିଜ ଅଭିନୟର ଯାଦୁରେ ଆକୃଷ୍ଟ କରୁଥିଲେ । ତାଙ୍କ ଅଭିନୟ ପାଇଁ ତାଙ୍କୁ ଟ୍ୟାଲେଣ୍ଟଟେଡ ଅଭିନେତା ବୋଲି ମଧ୍ୟ କୁହାଯାଏ ।

ଶୁସାନ୍ତ ଅନ୍ୟ ଅଭିନେତାଙ୍କଠାରୁ ଅନ୍ୟତମ । କାରଣ ସେ ନିଜ ଦମରେ ବଲିଉଡରେ ପ୍ରବେଶ କରିଥିଲେ । ପ୍ରଥମେ ଟିଭି ପରଦା ଓ ପରେ ବଡ ପରଦାକୁ ଆସି ନିଜ ଜଲୱା ଦେଖାଇଥିଲେ । ଟିଭି ପରଦାରେ ପବିତ୍ର ରିସ୍ତା ସିରିଏଲରେ ସେ ଘରେ ଘରେ ପରିଚିତ ହୋଇଥିଲେ । ଆଉ ଏହାପରେ ସିଧା ବଲିଉଡ । ଶୁସାନ୍ତଙ୍କ ଭଳି ଖୁବ କମ ଅଭିନେତା ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ବଡ ପରଦାକୁ ନିଜ ପରିଶ୍ରମରେ ଆସିଛନ୍ତି । ଆଉ ଶୁସାନ୍ତ ସେମାନଙ୍କଠାରୁ ଭିନ୍ନ ଏଥିପାଇଁ କାରଣ ଶୁସାନ୍ତ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ।

ଅଳ୍ପ ଦିନରେ ଶୁସାନ୍ତ ହାସଲ କରିଥିବା ଏହି ସଫଳତାକୁ ବୋଧେ ହୁଏ କାହା ନଜର ଲାଗିଯାଇଥିଲା । ସେଥିପାଇଁ ଅଳ୍ପରେ ଅଟକିଯାଇଥିଲା ତାଙ୍କ କ୍ୟାରିୟର । ଆଉ ଖୁବ କମ ବୟସରେ ନିଜ ପରିବାର ସାଙ୍ଗ ସାଥି ଆଉ କୋଟି କୋଟି ଫ୍ୟାନ ମାନଙ୍କୁ ଏକା କରି ସେ ଚାଲିଗଲେ ଆରପାରିକୁ ।

ବର୍ଷେ ବିତିଗଲା ହେଲେ ଶୁସାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିଲାନି । ଆଜି ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ଶୁସାନ୍ତଙ୍କ ପରିବାର ଲୋକ । ହେଲେ କେବେ ଏହି ରହସ୍ୟରୁ ଉଠିବ ପରଦା ତାକୁ ଅପେକ୍ଷା କରିଛନ୍ତି ଶୁସାନ୍ତଙ୍କ ଅନେକ ଫ୍ୟାନ ।