ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ଭଉଣୀଙ୍କୁ ପୋଲିସର ପଚରାଉଚରା: ଭଉଣୀ କହିଲେ, ୬ମାସ ହେଲା ଚାଲିଥିଲା ଡିପ୍ରେସନର ଚିକିତ୍ସା; କିଛି ଦିନ ହେଲା ଖାଉ ନଥିଲେ ମେଡିସିନ

ସେପଟେ ମୁମ୍ବାଇରେ ପହଁଚିଲେ ସୁଶାନ୍ତଙ୍କ ପରିବାର: ଆଜି ହେବ ଅନ୍ତିମ ସଂସ୍କାର

1,987

କନକ ବ୍ୟୁରୋ: ବଲିଉଡର ଦିବଂଗତ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଉଭଣୀଙ୍କୁ ପଚରାଉଚରା କରିଛି ପୋଲିସ ।ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିବା ତାଙ୍କ ଭଉଣୀ ଖୁଲାସା କରିଛନ୍ତି । ତେବେ ଗତ ୬ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ଗତ କିଛି ଦିନ ହେଲା ସେ ନିୟମିତ ଭାବେ ଔଷଧ ସେବନ କରୁନଥିଲେ ବୋଲି ତାଙ୍କ ଭଉଣୀ ପୋଲିସକୁ କହିଛନ୍ତି । ସୁଶାନ୍ତ କ୍ଲିନିକାଲ ଡିପ୍ରେସନର ଶିକାର ହୋଇଥିବା ଜଣାପଡିଛି । ଏହା ସତ୍ୱେ ସେ ସମସ୍ତଙ୍କ ସହ ସ୍ୱାଭାବିକ ବ୍ୟବହାର କରୁଥିଲେ ।

କେବଳ ଏତିକି ନୁହେଁ ସୁଶାନ୍ତଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା ବୋଲି ତାଙ୍କ ଭଉଣୀ ପୋଲିସ ସମ୍ମୁଖରେ କହିଛନ୍ତି । ସେପଟେ ସୁଶାନ୍ତଙ୍କ ପୋଷ୍ଟର୍ଟମ ରିପୋର୍ଟ ଆସିଛି । ବେକରେ ରଶି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଆଜି ମୁମ୍ବାଇରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ତାଙ୍କ ପରିବାର ମୁମ୍ବାଇରେ ପହଂଚିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ଗତକାଲି ତାଙ୍କ ମୃତଦେହ ଅପରାହ୍ନରେ ଉଦ୍ଧାର ହୋଇଥିଲା । ତେବେ ଦୀର୍ଘଦିନ ଧରି ସେ ଅବସାଦଗ୍ରସ୍ତ ଥିଲେ ।

ସୁଶାନ୍ତଙ୍କ ଘରୋଇ ସହାୟିକା ପୋଲିସ ଆଗରେ ଏହି କଥା କହିଥିବା ବେଳେ ତାଙ୍କ ଘରୁ ମେଡିକାଲ ପ୍ରେସକ୍ରିପସନ ଓ ମେଡିସିନ୍ ମିଳିଛି । ୬ ଦିନ ତଳେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମାମୁଁ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହତ୍ୟା କରାଯାଇଛି । ସେ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ସୁଶାନ୍ତଙ୍କ ଦୁଇଟି ମୋବାଇଲ ଫୋନ୍ ଓ ଲାପଟପକୁ ତଦନ୍ତ ପାଇଁ ଫରେନସିକ୍ ଟିମକୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପୋଲିସ ପଚରାଉଚରା କରୁଛି ।