ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟର୍ଟମ ରିପୋର୍ଟ : ବେକରେ ରଶି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ । ସେପଟେ ଆଜି ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର

8,068

କନକ ବ୍ୟୁରୋ : ବଲିଉଡର ଦିବଂଗତ ନାୟକ ସୁଶାନ୍ତ ସିଂ ରାଜପୁତଙ୍କର ଆସିଲା ପୋଷ୍ଟର୍ଟମ ରିପୋର୍ଟ । ବେକରେ ରଶି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ସେପଟେ ଆଜି ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର । ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ଗତକାଲି ତାଙ୍କ ମୃତଦେହ ଅପରାହ୍ନରେ ଉଦ୍ଧାର ହୋଇଥିଲା । ମୁମ୍ବାଇ ପୁଲିସର ଅତିରିକ୍ତ କମିସନର କହିଛନ୍ତି, ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ସେଠାରୁ କୌଣସି ସୁଇସାଇଡ ନୋଟ ମିଳି ନାହିଁ । ତେଣୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ ।

 

ତେବେ ଦୀର୍ଘଦିନ ଧରି ସେ ଅବସାଦଗ୍ରସ୍ତ ଥିଲେ । ସୁଶାନ୍ତଙ୍କ ଘରୋଇ ସହାୟିକା ପୋଲିସ ଆଗରେ ଏହି କଥା କହିଥିବା ବେଳେ ତାଙ୍କ ଘରୁ ମେଡିକାଲ ପ୍ରେସକ୍ରିପସନ ଓ ମେଡିସିନ୍ ମିଳିଛି । ୬ ଦିନ ତଳେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମାମୁଁ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହତ୍ୟା କରାଯାଇଛି । ସେ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ସୁଶାନ୍ତଙ୍କ ଦୁଇଟି ମୋବାଇଲ ଫୋନ୍ ଓ ଲାପଟପକୁ ତଦନ୍ତ ପାଇଁ ଫରେନସିକ୍ ଟିମକୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପୋଲିସ ପଚରାଉଚରା କରୁଛି । ସୁଶାନ୍ତ ସିଂହ ରାଜପୁତ ବଲିଉଡ୍‌ର ଜଣେ ଉଦୀୟମାନ କଳାକାର ଥିଲେ। ତାଙ୍କର ଏପରି ଅକାଳ ବିୟୋଗରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ‌ହୋଇପଡ଼ିଛି।