ଆକ୍ସନ ମୁଡରେ ନ୍ୟାସନାଲ ନାରକୋଟିକ୍ସ ବ୍ୟୁରୋ: ୨ ଜଣଙ୍କୁ ଗିରଫ କଲା ଏନସିବି; ଜଣେ ନିଶା ବେପାରୀ ରିଆ ଚକ୍ରବର୍ତିଙ୍କ ଭାଇ ନାଁ ନେଇଥିବା ସୂଚନା; ରିଆଙ୍କ ଚାଟରୁ ଜଣାପଡିଥିଲା ନିଶା ବେପାରୀଙ୍କ ସହ ସମ୍ପର୍କ

413

କନକ ବ୍ୟୁରୋ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଆସିବା ପରେ ଆକ୍ସନ ମୁଡରେ ନ୍ୟାସନାଲ ନାରକୋଟିକ୍ସ ବ୍ୟୁରୋ । ମୁମ୍ବାଇରେ ୨ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏନସିବି । ଜଣଙ୍କୁ ଗତକାଲି କବଜାକୁ ନେଇଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍ । ସେମାନଙ୍କୁ ପଚରାଉଚରା ଜାରି ରହିଛି । ଜଣଙ୍କ ନାଁ ବସିତ ପରିହାର ହୋଇଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ଜୈଦ ବୋଲି ଜଣାପଡିଛି । ତେବେ ଜୈଦ ରିଆଙ୍କ ଭାଇ ସୌଭିକଙ୍କ ନାଁ ନେଇଥିବା ସୂଚନା ମିଳିଛି । ଏଥିରୁ ଆଗକୁ ସୌଭିକଙ୍କ ପାଇଁ ବିପଦ ବଢିପାରେ ।

ରିଆଙ୍କ ହ୍ୱାଟସଆପ୍ ଚାଟରୁ ନିଶା ଦ୍ରବ୍ୟ ସମ୍ପର୍କୀତ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଏନଡିପିଏସ ଆକ୍ଟ ଅନୁଯାୟୀ ଏହି ଟିମ୍ ତଦନ୍ତ ଜାରି ରଖିଛନ୍ତି ତଦନ୍ତକାରୀ ସଂସ୍ଥା । ଏଥିରେ ରିଆଙ୍କ ସମେତ ତିନି ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ରିୟା ଡ୍ରଗ୍ସ ସମ୍ପର୍କରେ ଡିଲର ଗୌରବ ,ବନ୍ଧୁ ଜୟା,ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସ୍ମୃତି ମୋଦି ଓ ସାମୁଏଲ ମିରାଣ୍ଡା ସହ ହ୍ୱାଟସଆପ୍ ଚାଟରେ କଥା ହୋଇଥିବା ନେଇ ଇଡି ତଦନ୍ତବେଳେ ଜାଣି ପାରିଥିଲା । ଏହା ଜଣାପଡିବା ପରେ ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସର କିଛି ଲିଙ୍କ ରହିଛି କି ନାହିଁ ତଦନ୍ତ କରିବାକୁ ନାରକୋଟିକ୍ସ ଦାୟିତ୍ୱ ନେଇଛି ।