ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଆସିଲା ଫରେନ୍ସିକ ରିପୋର୍ଟ । ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ , ସେ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ ।

797

କନକ ନ୍ୟୁଜ : ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ତିନି ମାସରୁ ଅଧିକ ଦିନ ବିତି ଯାଇଛି । ହେଲେ ଏବେ ବି ହଟୁନି ମୃତ୍ୟୁ ଉପରୁ ପରଦା । ତାଙ୍କୁ ହତ୍ୟା କରାଯାଇଥିଲା ନାଁ ସେ ଆତ୍ମହତ୍ୟା କରିଥିଲେ ଏହାର ତଦନ୍ତ କରିବା ପାଇଁ ତିନି ତିନିଟି ତଦନ୍ତକାରୀ ସଂସ୍ଥା ଦାୟିତ୍ୱ ନେଇଛି । ଏବେ ସୁଶାନ୍ତଙ୍କ ଫରେନ୍ସିକ୍ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି ଯେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଦର୍ଶାଉଛି, ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ । ସେ ଆତ୍ମହତ୍ୟା କରିଛନ୍ତି ।

ସୋମବାର ଏମ୍ସ ମେଡ଼ିକାଲ ବୋର୍ଡ଼ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିିବିଆଇ ସେୟାର କରିଥିଲା । ଏମସ ରିପୋର୍ଟ ପାଇବା ପରେ ଆତ୍ମହତ୍ୟାକୁ ଦୃ୍ଷ୍ଟିରେ ରଖି ସିବିଆଇ ଏହି ମାମଲାର ତଦନ୍ତ କରିବ । ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବା ପାଇଁ କିଏ ପ୍ରବର୍ତ୍ତାଉ ଥିଲେ କି ? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ । ଏହି ମାମଲାରେ ଲାପଟପ୍, ହାର୍ଡ଼ ଡ଼ିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ସୁଚନା ଅନୁସାରେ ସିବିଆଇ ଏହି ମାମଲାରେ ୨୦ରୁ ଅଧିକା ଲୋକଙ୍କୁ ଜେରା କରିସାରିଛି ।