ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା : ରିୟା ଚକ୍ରବର୍ତ୍ତୀଙ୍କ ହାଜତ ମିଆଦ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି

166

କନକ ବ୍ୟୁରୋ :  ମୁମ୍ବାଇର ଏନଡିପିଏସ କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆସନ୍ତା ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ହାଜତ ମିଆଦକୁ ମଧ୍ୟ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ସେମାନଙ୍କ ହାଜତ ମିଆଦ ଶେଷ ହେଉଥିଲା ।

ମୃତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା । ହାଜତ ମିଆଦ ବୃଦ୍ଧିକୁ ରିୟା ଓ ସୌଭିକଙ୍କ ଓକିଲ ବିରୋଧ କରିଥିଲେ ମଧ୍ୟ ଏନସିବି ପକ୍ଷରୁ ତାହା ସପକ୍ଷରେ ଯୁକ୍ତି ରଖାଯାଇଥିଲା । ଏନସିବି ପକ୍ଷରୁ କୁହାଯାଇଥିଲା ଯେ ଏହି ଭାଇ-ଭଉଣୀ ଏକ ଡ୍ରଗ ସିଣ୍ଡିକେଟର ସଦସ୍ୟ । ଏଣୁ ଏ ସମ୍ପର୍କରେ ଆହୁରି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।

ପୂର୍ବରୁ ଜାମିନ ପାଇଁ ରିୟା ବମ୍ବେ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ । ତେବେ ଗତ ୨୯ ତାରିଖରେ କୋର୍ଟ ନିଜର ରାୟକୁ ସଂରକ୍ଷିତ ରଖିଥିଲେ । ଆସନ୍ତା କାଲି ହାଇକୋର୍ଟ ଏହି ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ ।