ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା : ସବୁ ମାମଲାର ଏକତ୍ର ସିବିଆଇ ତଦନ୍ତ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ; ଚିଫ ଜଷ୍ଟିସ ଏସଏ ବୋବଡେଙ୍କ ଖଣ୍ଡପୀଠ କରିବେ ଶୁଣାଣି

289

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ରିୟା ଚକ୍ରବର୍ତିଙ୍କ ଆବେଦନର ଶୁଣାଣି ହେବ । ପାଟନାରେ ସୁଶାନ୍ତଙ୍କ ପିତା ରିୟାଙ୍କ ବିରୋଧରେ କରିଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି । ରିୟାଙ୍କ ସେହି ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ମଧ୍ୟ ଆଜି କରିବେ ସୁପ୍ରିମକୋର୍ଟ । ଅଭିନେତାଙ୍କ ମୃତ୍ୟୁକୁ ନେଇ ହୋଇଥିବା ସବୁ ମାମଲାର ଏକତ୍ର ସିବିଆଇ ଯାଂଚ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ବିଜେପି ନେତା ଅଜୟ ଅଗ୍ରୱାଲ । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା, ଜଷ୍ଟିସ ବି ରାମାସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହାପୂର୍ବରୁ ଜୁଲାଇ ୩୦ ଓ ଅଗଷ୍ଟ ୭ ତାରିଖରେ ସୁଶାନ୍ତ ମାମଲାକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।
ଆବେଦନକାରୀ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ମୁମ୍ବାଇ ପୁଲିସର ତଦନ୍ତ ପ୍ରକ୍ରିୟା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ମୁମ୍ବାଇ ପୁଲିସର ପ୍ରାରମ୍ଭିକ ତଦନ୍ତରେ ବହୁ ଦୋଷ ତ୍ରୁଟି ରହିଛି । ଏହା ଜାଣିଶୁଣି କରାଯାଇଛି, ନା ଅବେହଳା ତାହା ମଧ୍ୟ ତଦନ୍ତର ବିଷୟ । ଏହାଛଡା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ଭଳି ଦାୟିତ୍ୱବାନ ବ୍ୟକ୍ତି ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି ବୋଲି ଅଜୟ ଅଗ୍ରୱାଲ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।