ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ବାସଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା ସୂଚନା, ହେଲେ ମିଳିନାହିଁ ସୁଇସାଇଡ୍ ନୋଟ୍ । ହତ୍ୟା ଅଭିଯୋଗ ଆଣିଲେ ପରିବାର

2,196

କନକ ବ୍ୟୁରୋ: ରିଲ୍ ଲାଇଫର ଏହି ଦୃଶ୍ୟରେ ଦିନେ ରିୟଲ୍ ଲାଇଫ୍ ସହ ସଂଯୋଗ ରଖିବ ହୁଏତ ନିଜେ ସୁଶାନ୍ତ ସିଂ ରାଜପୁତ ବି ଚିନ୍ତା କରିନଥିବେ । ଫିଲ୍ମରେ ଲୁଜରର ସଂଜ୍ଞା ବୁଝାଉଥିବା ଏହି ଅଭିନେତା ଆଜି ଜୀବନଯୁଦ୍ଧରେ ହାରିଯାଇଛନ୍ତି । ଯୁବ ବୟସରେ ସଫଳତାର ଶୀର୍ଷରେ ଛୁଇଁଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଏବେ ପୁରା ସିନେମା ଜଗତକୁ ସ୍ତବ୍ଧ କରିଦେଇଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର ହେବା ପରେ ଶବବ୍ୟବଚ୍ଛେଦ ପାଇଁ କୁପାର ହସ୍ପିଟାଲକୁ ନିଆଯାଇଛି । ପୁଲିସ୍ ଘରୁ କିଛି ସାମଗ୍ରୀ ଜବତ କରିବା ବେଳେ ୬ ମାସ ହେଲା ସୁଶାନ୍ତ ସିଂ ରାଜପୁତ ମାନସିକ ଚାପରେ ଥିବା ସୂଚନା ଦେଇଛି ।

କିଛି ଦିନ ପୂର୍ବରୁ ଏକ୍ସ-ଗାର୍ଲଫ୍ରେଣ୍ଡଙ୍କ ନିର୍ବନ୍ଧ ଏବଂ ମାତ୍ର ୭ ଦିନ ପୂର୍ବରୁ ଏକ୍ସ ମ୍ୟାନେଜରଙ୍କ ଆତ୍ମହତ୍ୟାର ଖବର, ସୁଶାନ୍ତ ସିଂ ରାଜପୁତଙ୍କୁ ଖବରର ସିରୋନାମାରେ ରଖିଥିଲା । ଜୁନ୍ ୩ ତାରିଖରେ ଇନ୍ଷ୍ଟାଗ୍ରାମରେ ମା’ଙ୍କ ଉଦ୍ଦେଶ୍ୟରେ ଏକ ଭାବବିହ୍ୱଳ ପୋଷ୍ଟ ମଧ୍ୟ କରିଥିଲେ । ଆଉ ଏହା ପରେ ପରେ ନିଜେ ସୁଶାନ୍ତ ଆତ୍ମହତ୍ୟା କରିବା ଘଟଣା, ଅନେକଗୁଡ଼ିଏ ଚର୍ଚ୍ଚା ଆଲୋଚନାର ଖୋରାକ୍ ଯୋଗାଇଛି । ମୁମ୍ବାଇ ପୁଲିସର ସୂଚନା ଅନୁସାରେ ଶନିବାର ରାତିରେ କିଛି ବନ୍ଧୁ ସୁଶାନ୍ତ ସିଂ ରାଜପୁତଙ୍କ ଘରେ ଥିଲେ । ଆଉ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଘରୁ ଠାବ ହୋଇଥିଲା । ସୁଶାନ୍ତ ସିଂଙ୍କ ଘରୋଇ ସହାୟକ ଏନେଇ ପୁଲିସକୁ ସୂଚନା ଦେଇଥିଲେ ।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ପୁରା ବଲିଉଡକୁ ସ୍ତବ୍ଧ କରି ଦେଇଥିବା ବେଳେ ରାଜନୀତି ଓ କ୍ରୀଡ଼ା ଜଗତର ବଡ଼ ବଡ଼ ତାରକା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ଉଦୀୟମାନ ଯୁବ ଅଭିନେତା ଅତିଶୀଘ୍ର ଛାଡ଼ି ଚାଲିଗଲେ । ସେ ଟିଭି ଓ ଫିଲ୍ମ ଦୁନିଆରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ମନୋରଂଜନ ଦୁନିଆରେ ଆଗକୁ ବଢ଼ି ଅନେକଙ୍କୁ ପ୍ରେରଣା ଦେବା ସହ ଅଭୁଲା ସ୍ମୃତି ଛାଡ଼ି ଯାଇଛନ୍ତି । ତାଙ୍କ ଖବର ଦେହାନ୍ତ ଖବର ମର୍ମାହତ କରିଛି । ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି- ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି । ଏଭଳି ଏକ ଘଡିସନ୍ଧି ମୁହର୍ତ୍ତରେ ତାଙ୍କ ପରିବାର ପ୍ରତି ସମବେଦନା ରହିଛି ।