ସୁଶାନ୍ତ ସିଂ ମୃତ୍ୟୁ ମାମଲା । ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ୍, ମୋବାଇଲ ଓ ଲାପଟପ୍ ଫେରାଇବାକୁ ନିର୍ଦ୍ଦେଶ

157

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କଥିତ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ଥି ମିଳିଛି । ମୁମ୍ବାଇ ସ୍ପେଶାଲ ଏନଡିପିଏସ କୋର୍ଟ ଗୋଟିଏ ବର୍ଷ ପରେ ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ କରିବାକୁ ଆଦେଶ ଦେଇଛନ୍ତି । ଏନେଇ ରିୟା କୋର୍ଟରେ ଆବେଦନ କରିଥିଲେ । କୋର୍ଟ ବି ରିୟାଙ୍କ ଗ୍ୟାଜେଟକୁ ଡିଫ୍ରିଜ କରିବାକୁ ଆଦେଶ ଦେବା ସହ ଜବତ ହୋଇଥିବା ରିୟାଙ୍କ ମୋବାଇଲ ଓ ଲାପଟପ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ସୁଶାନ୍ତସିଂ ରାଜପୁତ ମୃତ୍ୟୁର ତଦନ୍ତ ବେଳେ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ସହ ତାଙ୍କ ମୋବାଇଲ ଓ ଲାପଟପକୁ ଜବତ କରାଯାଇଥିଲା । ଏନେଇ ରିୟା କୋର୍ଟରେ ଆବେଦନ କରି କହିଥିଲେ କି ତାଙ୍କର ଆର୍ଥିକ ଅବସ୍ଥା ଠିକ୍ ନାହିଁ, ତାଙ୍କ ଆକାଉଣ୍ଟରେ ଜମାଥିବା ଅର୍ଥ ଉପଯୋଗ କରିବାକୁ ସେ କୋର୍ଟରେ ଆବେଦନ କରିବା ପରେ ଏନଡିପିଏସ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉକି ବଲିଉଡ ଅଭିନେତା ସୁଶାନ୍ତସିଂ ରାଜପୁତଙ୍କର ୨୦୨୦ ଜୁନ ୧୪ ତାରିଖରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସିବିଆଇ, ଇଡି ଓ ଏନସିବି ଭିନ୍ନ ଭିନ୍ନ ଏଙ୍ଗଲରେ ଯାଂଚ କରୁଛନ୍ତି । ସେପଟେ ଶ୍ୱାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ କହିଥିଲା । ମାତ୍ର ଏହାକୁ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ସୁଶାନ୍ତଙ୍କ ପରିବାର ଲୋକେ । ଏହା ଏକ ହତ୍ୟାକାଣ୍ଡ ଓ ଏହା ପଛରେ ଅନେକ ଲୋକଙ୍କର ହାତଥିବା ଅଭିଯୋଗ କରି ତଦନ୍ତ କରିବାକୁ ଅନୁରୋଧ କରିଥିଲେ ସୁଶାନ୍ତଙ୍କ ପରିବାର ଲୋକେ ।