ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ । ଜାଣନ୍ତୁ, ବିହାରରେ ଜନ୍ମ ନେଇ କେମିତି ପହଞ୍ଚିଥିଲେ ବଲିଉଡରେ…

152

କନକ ବ୍ୟୁରୋ: ୧୪ ଜୁନ୍ ୨୦୨୦, ଆଜିକୁ ଠିକ୍ ବର୍ଷେ ତଳେ ମାୟାନଗରୀ ମୁୁମ୍ବାଇରୁ ଏମିତି ଏକ ଖବର ଆସିଥିଲା । ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସେଇ ଦେଇଥିଲା । ଖବର ଥିଲା ବଲିଉଡର ରାଜପୁତ ସୁଶାନ୍ତ ସିଂ ଆଉ ଏ ଦୁନିଆରେ ନାହାନ୍ତି । ବାସ୍ ଏ ଖବର ବିଜୁଳି ବେଗରେ ଚାରିଆଡେ ଖେଳିଗଲା । ଯେଉଁ ଅଭିନେତା ଦିନେ ବଡ ପରଦାରେ ଆତ୍ମହତ୍ୟା ନକରିବାକୁ ବୁଝାଉଥିଲା । ସୁଇସାଇଡକୁ ନଟ୍ ଏ ସଲ୍ୟୁସନ ବୋଲି କହୁଥିଲା ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ଖବର ପ୍ରକାଶ ପାଇଲା । ହେଲେ ସୁଶାନ୍ତଙ୍କ ଏହି ମୃତ୍ୟୁକୁ ନେଇ ସମୟ ଯେତେ ଗଡୁଥିଲା ସେତେ ସେତେ ପ୍ରଶ୍ନ ସୃଷ୍ଟି ହେଇ ଚାଲିଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ? ସୁଶାନ୍ତ ନିଜେ ନିଜକୁ ମାରିଛନ୍ତି ନା ଏହା ପଛରେ ଆଉ କାହାର ହାତ ଅଛି ? ତାହା ସମସ୍ତଙ୍କ ମନରେ ଏକ ବଡ କୋଶ୍ଚିନ ମାର୍କ ହୋଇ ପ୍ରଶ୍ନ କରୁଥିଲା ।

ଏହା ଭିତରେ ସୁଶାନ୍ତଙ୍କ ପରଲୋକକୁ ବର୍ଷେ ପୁରିଛି । ବଲିଉଡର ଛିଛୋରେ , ଧୋନୀ ସିନା ନାହାନ୍ତି । ହେଲେ ତାଙ୍କର ସେହି ହସ ହସ ମୁହଁ ଆଉ ଚାର୍ମିଂ ଚେହେରାକୁ ବଲିଉଡ୍ ପ୍ରେମୀମାନେ ଆଜି ବି ମନେ ରଖିଛନ୍ତି । କାହିଁକି ନାଁ ସୁଶାନ୍ତ ଏମିତି ଜଣେ ହିରୋ ଥିଲେ ଯିଏ ଜିରୋରୁ କ୍ୟାରିୟର ଆରମ୍ଭ କରି ସଫଳତାର ଶୀର୍ଷରେ ପହଞ୍ଚିଥିଲେ । ବିହାର ଭଳି ଏକ ପଛୁଆ ରାଜ୍ୟରୁ ସେ ପହଞ୍ଚିଥିଲେ ବଲିଉଡ୍ ।

୧୯୮୬ ମସିହା ଜାନୁଆରୀ ୨୧ । ବିହାରର ପାଟଣାରେ ଜନ୍ମ ନେଇଥିଲେ ସୁଶାନ୍ତ । ପରିବାରର ଆର୍ଥିକ ସ୍ଥିତି କହିଲେ ସେମିତି କିଛି ଖାସ ନଥିଲା । ହେଲେ ପିଲାଟି ଦିନୁ ସେ ଥିଲେ ଜଣେ ମେଧାବୀ ଛାତ୍ର । ୨୦୦୨ରେ ସୁଶାନ୍ତଙ୍କ ମା ଙ୍କ ଦେହାନ୍ତ ତାଙ୍କ ଜୀବନରେ ଏକ ଝଡ ଆଣିଥିଲା । ଆଉ ସେହିବର୍ଷ ତାଙ୍କ ପୂରା ପରିବାର ପାଟଣାରୁ ଦିଲ୍ଲୀ ଆସିଯାଇଥିଲେ । ଦିଲ୍ଲୀ ଆସିବା ପରେ ସୁଶାନ୍ତ ଇଂଜନିୟରିଂ ପଢିବା ଆରମ୍ଭ କରିଥିଲେ । ପାଠ ସହ ନାଚରେ ମଧ୍ୟ ଆଗ୍ରହ ଥିବାରୁ ବଲିଉଡ୍ କୋରିଓଗ୍ରାଫର ସାହାମକ ଦାବରଙ୍କ ଡ୍ୟାନ୍ସ ଏକାଡେମୀରେ ସେ ନାଚ ମଧ୍ୟ ଶିଖୁଥିଲେ । ଆଉ ୨୦୦୬ରେ ପ୍ରଥମ କରିି ସେ ଫିଲ୍ମ ଫେୟାର ଆୱାର୍ଡରେ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନାଚିବାକୁ ସୁଯୋଗ ପାଇଥିଲେ ।

ଅଭିନୟ କରିବାର ସ୍ୱପ୍ନକୁ ସତ କରିବା ପାଇଁ ସୁଶାନ୍ତ ଚାଲିଆସିଥିଲେ ମାୟାନଗରୀ ମୁମ୍ବାଇ । ସେଠାରେ ସେ ଲଗାତାର କିଛି ବର୍ଷ ଧରି ଥୀଏଟର କରିବାକୁ ଲାଗିଥିଲେ । ଏହାରି ଭିତରେ ନେସଲେ ଭଳି କମ୍ପାନୀ ତରଫରୁ ଚକଲେଟ ବିଜ୍ଞାପନ ପାଇଁ ସେ ଅଭିନୟ କରିଥିଲେ । ଆଉ ୨୦୦୯ ମସିହାର ପବିତ୍ର ରିସ୍ତା ସିରିଏଲ ତାଙ୍କୁ ଦେଇଥିଲା ବଡ ମାଇଲେଜ । ଏହି ସିରିଏଲ୍ ତାଙ୍କୁ ଘରେ ଘରେ ପରିଚିତ କରିବା ସହିତ ବଲିଉଡ୍ ପାଇଁ ରାସ୍ତା ଖୋଲିଦେଇଥିଲା ।

୨୦୧୩ରେ ପ୍ରଥମ କରି ବଲିଉଡରେ ଏଟ୍ରିଂ ମାରିଥିଲେ ସୁଶାନ୍ତ । ଆଉ ଫିଲ୍ମ ଥିଲା କାଇ ପୋ ଚେ । ବାସ୍…ଏହାପରେ ଭଳିକି ଭଳି ଫିଲ୍ମ ଆଉ ସଫଳତା ସୁଶାନ୍ତଙ୍କ ପାଖ ଛାଡିନଥିଲା । ସୁଦ୍ଧ ଦେଶୀ ରୋମାନ୍ସ ହେଉ କି ଏମ୍ ଏସ ଧୋନୀ – ସବୁଥିରେ ତାଙ୍କର ଅଭିନୟ ଲୋକଙ୍କ ହୃଦୟ ଜିତିଥିଲା । ପିକେ, ରାବତା ଆଉ ଛିଛୋରେ ଭଳି ଫିଲ୍ମ କରି ସେ ଗୋଟିକ ପରେ ଗୋଟିଏ ସଫଳତାର ଶିଡି ଚଢିଚାଲିଥିଲେ । ହେଲେ ତାଙ୍କର ଏହି ଅକସ୍ମାତ ମୃତ୍ୟୁ ସମସ୍ତଙ୍କୁ ଚମକାଇ ଦେଇଥିଲା । ଆଉ ତାଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ଫିଲ୍ମ ଦିଲ୍ ବେଚାରା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା ।

ପବିତ୍ର ରିସ୍ତାର ସମ୍ପର୍କ ତୁଟାଇ ବଲିଉଡର ଛିଛୋରେ ଆଜି ଆରପାରିରେ । ହେଲେ ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଆଜି ବି ଦର୍ଶକ ମନେ ରଖିଛନ୍ତି । ଜୀବନ ଯୁଦ୍ଧରେ ସେ ସିନା ହାରିଯାଇଛନ୍ତି…ହେଲେ ତାଙ୍କର ଏହି ବିହାରରୁ ବଲିଉଡ୍ ଯାତ୍ରା ଅନେକଙ୍କୁ ପ୍ରେରଣା ଯୋଗାଇଛି ।