ଠିକ ବର୍ଷେ ତଳେ ଅଫେରା ରାଇଜକୁ ଚାଲିଯାଇଥିଲେ ରାଜପୁତ । ଏକ ବର୍ଷ ପରେ ବି ଖୋଲି ପାରୁନି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମିଷ୍ଟ୍ରି, ମିଳିପାରୁନି ନାୟକଙ୍କୁ ନ୍ୟାୟ…

126

କନକ ବ୍ୟୁରୋ: ନିରବୀ ଯାଇଛି ଏହି ହସୁଥିବା ଚେହେରା । ଚୁପ୍ ହୋଇଯାଇଛନ୍ତି ବଲିଉଡର ଏହି ଛିଛୋରେ ବୟ । ଆଜିବି ସୁଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା । ଏହି ରହସ୍ୟ ଆଜି ବି ଫାଇଲ ତଳେ ଲୁଚି ହୋଇରହିଛି । ରହସ୍ୟ ଘେରରେ ରହିଯାଇଛି ସୁଶାନ୍ତଙ୍କ ମୃତ୍ୟୁ ।

ବିହାରରୁ ଭଲିଉଡର ଯାତ୍ରା । ଛୋଟ ପରଦାରୁ ବଡ ପରଦାକୁ ଆସିବା ପାଇଁ ଅନେକ ସଂଘର୍ଷ କରି ସଫଳ ହୋଇଥିଲେ ସୁଶାନ୍ତ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି କରି କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିଣିନେଇଥିଲେ ସୁଶାନ୍ତ । କିନ୍ତୁ ଏମିତି କଣ ହେଲା ଯେ, ଯିଏ ଦିନେ ଫିଲ୍ମରେ କହୁଥିଲେ, ଆତ୍ମହତ୍ୟା କରିବା ଜଣେ ଲୁଜରର ପରିଚୟ, ସେ ନିଜେ ଜୀବନ ଯୁଦ୍ଧରେ ହାରିଗଲେ । ସମସ୍ତଙ୍କୁ ଅବାକ କରି ଆରପାରିକୁ ଚାଲିଗଲେ ।

ସୁଶାନ୍ତଙ୍କ ମୃତ୍ୟୁକୁ ପୁରିଛି ୧ ବର୍ଷ । କିନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଆଜିବି ପରଦା ହଟିପାରିନି । ବଲିଉଡର ଏହି ସୁପରଷ୍ଟାର ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା, ସେନେଇ କିଛି ବି ସ୍ପଷ୍ଟ ସତ ସାମ୍ନାକୁ ଆସିପାରିନାହିଁ । ପୋଲି୍ସ, ସିବିଆଇ, ଏସଟିଏଫ ଏବଂ ଏନିସିବି । ଦେଶର ସବୁଠୁ ଶକ୍ତିଶାଳୀ ତଦନ୍ତାକୀରୀ ସଂସ୍ଥା ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିଥିଲେ ମଧ୍ୟ, ରହସ୍ୟ ଉପରୁ ପରଦା ହଟାଇପାରିନଥିଲେ ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର କେସ୍ ଡାଏରୀ, କ୍ରାଇମସିନର ଫଟୋଗ୍ରାଫ୍, ଶବ ବ୍ୟବଚ୍ଚେଦ ରିପୋର୍ଟ, ମୁମ୍ବାଇ ପୋଲିସ କରିଥିବା ଫରେନସିକ୍ ରିପୋର୍ଟ । ଏହା ବାଦ୍ ମୁମ୍ବାଇର ବାନ୍ଦ୍ରାରେ ଥିବା ସୁଶାନ୍ତଙ୍କ ଘରେ ମଧ୍ୟ ଯାଂଚ କରିଥିଲା ସିବିଆଇ ଟିମ୍ । ଯେଉଁ ଘରେ ପଙ୍ଖାରେ ସୁଶାନ୍ତଙ୍କ ଶବ ଝୁଲୁଥିଲା, ତାର ମଧ୍ୟ ଟିକନିକ୍ ଅନୁଧ୍ୟାନ କରାଯାଇଥିଲା । ଏମିତି ଅନେକ ତଦନ୍ତ ହୋଇଥିଲେ ମଧ୍ୟ ଏହି ନାୟକଙ୍କୁ ନ୍ୟାୟ ମିଳିପାରିନାହିଁ ।

ଗତବର୍ଷ ଜୁନ୍ ୧୪ ତାରିଖରେ ବଲିଉଡର ଏହି ସୁପରଷ୍ଟାରଙ୍କ ଶବ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଆଉ ସେହି ଦିନ ଠାରୁ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା, ସେହି ରହସ୍ୟ ଉପରୁ ପରଦା ହଟିପାରୁନାହିଁ । ଆଉ ଏବେ ସେହି ପ୍ରଶ୍ନ ସମସ୍ତଙ୍କ ମନ ଭିତରେ ରହିଛି, କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନାୟକଙ୍କୁ ନାୟ ? ଅଫେରା ରାଇଜରେ ଏବେ ବି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ସୁଶାନ୍ତ ସିଂହ ରାଜପୁତ ।