୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତ ଗଲେ ରିୟା । ଏନସିବି ଲକଅପରେ ପ୍ରଥମ ରାତି କଟିବା ପରେ ଗଲେ ମୁମ୍ବାଇର ଭାୟଖଲା ଜେଲ

ଡ୍ରଗ୍ସ କାରବାର ଲିଙ୍କରେ ଗିରଫ ହୋଇଥିଲେ ସୁଶାନ୍ତ ସିଂଙ୍କ ବାନ୍ଧବୀ

250

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଶେଷରେ ଡ୍ରଗ୍ସ ମାମଲାରେ ବନ୍ଧା ହୋଇଥିବା ବାନ୍ଧବୀ ରିୟା ଚକ୍ରବର୍ତି ଆଜି ଯାଇଛନ୍ତି ଜେଲ ହାଜତକୁ । ଏନସିବି ଗତକାଲି ତାଙ୍କୁ ଗିରଫ କରିବା ପରେ ଏନସିବି ଅଫିସରେ କଟିଥିଲା ପ୍ରଥମ ରାତି । ଆଜି ତାଙ୍କୁ ଜେଲ୍ ପଠାଯାଇଛି । କୋର୍ଟରୁ ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି । ୨୨ ସେପ୍ଟେମ୍ୱର ଯାଏଁ ରିୟା ରହିବେ ଜେଲ ହାଜତରେ । ତେବେ ଗତକାଲି ପ୍ରଥମ ରାତିରେ ରିୟା ଏନସିବିର ଲକଅପରେ ଥିଲେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ଭାଇଖାଲ ଜେଲକୁ ପଠାଯାଇଛି । ସେପଟେ ରିଆଙ୍କ ଓକିଲ ଆଜି ସେସନ୍ସ କୋର୍ଟରେ ରିୟାଙ୍କ ଜାମିନ ଆବେଦନ କରିବେ । ଏହାର ଶୁଣାଣି ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ।

ଡ୍ରଗ୍ସ କାରବାରକୁ ନେଇ ତିନି ଦିନ ଧରି ରିୟା ଚକ୍ରବର୍ତିଙ୍କୁ ଜେରା କରିବା ପରେ ମଙ୍ଗଳବାର ରିୟାଙ୍କୁ ଗିରଫ କରିଥିଲା ନାରକୋଟିକ୍ସ ବ୍ୟୁରୋ । ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହା ପରେ ନାରକୋଟିକ୍ସ ବ୍ୟୁରୋ ତାଙ୍କୁ କୋର୍ଟରେ ହାଜର କରିଥିଲା  । ସୂଚନା ଅନୁସାରେ ରିୟାଙ୍କ ଘରୁ କିଛି ଇଲେ କ୍ଟ୍ରୋନିକ୍ସ ସାମଗ୍ରୀ ଜବତ ହୋଇଛି । ଯେଉଁଥିରୁ ବଲିଉଡରେ ଡ୍ରଗ୍ସ କାରବାର ନେଇ ଅଧିକ ଗୁମର ଖୋଲିବା ସଂଭାବନା ରହିଛି । ଜେରା ବେଳେ ପ୍ରାୟ ୨୦ରୁ ଅଧିକ ବଲିଉଡ ବ୍ୟକ୍ତିଙ୍କ ନାଁ ଓଗାଳିଛନ୍ତି ରିୟା । ସମସ୍ତଙ୍କର ଡ୍ରଗ୍ସ ଲିଙ୍କ୍ ରହିଛି । ଏହା ପରେ ନାରକୋଟିକ୍ସ ବ୍ୟୁରୋ ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର ଅନ୍ୟ ବ୍ୟକ୍ତିଙ୍କୁ ଜେରା କରିବାକୁ ଏନସିବି ତାଲିକା କରୁଥିବା ଜଣାପଡିଛି ।