ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ଡିଜିଙ୍କ ବଡ ବୟାନ୍ । ରିୟା ଚକ୍ରବର୍ତୀଙ୍କ ଟେର୍ ପାଉନି ବିହାର ପୁଲିସ । ସୁଶାନ୍ତ ଭଉଣୀ, ରୋଷୟା ଓ ସାଂଗକୁ ହୋଇଛି ଜେରା, ତଦନ୍ତ ପାଇଁ ମୁମ୍ୱାଇରେ ବିହାର ପୁଲିସ ।

493

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛି ବିହାର ପୁଲିସ । ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ସାଙ୍ଗ, ସଂପର୍କୀୟଙ୍କୁ ଜେରା କରିଥିବା ବେଳେ ସୁଶାନ୍ତଙ୍କ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତି ଠିକଣା ପାଉ ନାହିଁ ମୁମ୍ବାଇ ପୁଲିସ । ଗିରଫ ଏଡାଇବାକୁ ସେ ବାରମ୍ବାର ଠିକଣା ବଦଳାଉଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।

ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତତ୍ପରତା ଦେଖାଇଛି ବିହାର ପୁଲିସ । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ମୁମ୍ବାଇରେ ଡେରା ପକାଇଛି ପୁଲିସ ଟିମ । ହେଲେ ବିହାର ପୁଲିସକୁ ଧରାଛୁଆଁ ଦେଉ ନାହାନ୍ତି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତି । ରିୟା ସୁଶାନ୍ତଙ୍କୁ ବ୍ଲାକମେଲ କରୁଥିବା, ଆତ୍ମହତ୍ୟା ପାଇଁ ଉସକାଇଥିବା ଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେଣୁ ଗିରଫ ଭୟରେ ରିୟା ବାରମ୍ବାର ଠିକଣା ବଦଳାଉ ଥିବା କୁହାଯାଉଛି । ଅନ୍ୟପଟେ ରିୟା ବିରୋଧରେ ମିଛ ବୟାନ ଦେବାକୁ ସୁଶାନ୍ତଙ୍କ ପରିବାର ଚାପ ପକାଉଥିବା କହିଛନ୍ତି ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ।

ସୁଶାନ୍ତଙ୍କ ଭଉଣୀ, ବନ୍ଧୁ, ରୋଷେୟା, ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଓ ଡାକ୍ତରଙ୍କୁ ବିହାର ପୁଲିସ ପଚରା ଉଚରା କରିସାରିଛି । ବାନ୍ଦ୍ରା ପୁଲିସ ଷ୍ଟେସନକୁ ଯାଇ ଆଲୋଚନା କରିବା ପରେ ନିର୍ଦ୍ଦେଶକ ରୁମି ଜାଫ୍ରିଙ୍କୁ ଜେରା କରିଛି ବିହାର ପୁଲିସ । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ସୁଶାନ୍ତଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଦାବି କଲେ ରାଜ୍ୟ ସରକାର ସୁପାରିଶ କରିବାକୁ ପ୍ରସ୍ତୁତ ଅଛନ୍ତି ।

ସୁଶାନ୍ତଙ୍କ ଭଉଣୀ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ କରି ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଥିସହ ସେ ଲେଖିଛନ୍ତି ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି । ପ୍ରଧାନମନ୍ତ୍ରୀ ମୋଦି ସତ ସହିତ ସବୁବେଳେ ଛିଡା ହୁଅନ୍ତି ବୋଲି ସେ ଟ୍ୱିଟ କରିଛନ୍ତି ।