ବନ୍ଧା ହେଲେ ମୋଟୁ ଥାନା ଆଇଆଇସି । ଆଜି ସୁଶାନ୍ତ ସାହୁଙ୍କୁ କୋର୍ଟଚାଲାଣ କରିବ ଭିଜିଲାନ୍ସ

ସାଙ୍ଗରେ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ନେଇ ଯିବା ଥାନା ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା; ଗତକାଲି ଫୁଲନଖରାରୁ ଧରିଥିଲା ଭିଜିଲାନ୍ସ

203

କନକ ବ୍ୟୁରୋ : ଗିରଫ ହେଲେ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କୁ ଗିରଫ କରିଛି । ମୋଟୁରୁ କଟକ ଫୁଲ ନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ଗିରଫ କରିଛି ଭିଜିଲାନ୍ସ । ଏକ ଏସୟୁଭି କାରରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଧରିଥିଲା । ତାଙ୍କ ଗାଡ଼ିରୁ ନଗଦ ଦୁଇ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ଟଙ୍କା ବାବଦ କୌଣସି ତଥ୍ୟ ଦେଇନପାରିବାରୁ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସୁଶାନ୍ତଙ୍କ ଫୁଲନଖରା ସ୍ଥିତ ଘର ଓ କଟକ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗିରଫ ମୋଟୁ ଥାନା ଅଧିକାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

ଗତକାଲି ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ୮ ଜଣ ସାଧା ପୋଷାକଧାରୀ ବ୍ୟକ୍ତି ଦୁଇଟି ବଲେରୋରେ ଅପେକ୍ଷା କରିଥିଲେ । ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଖରାପ ଥିବାରୁ ଏକ ମାରୁତି ସୁଜକି ଏଟିର୍ଗା କାର୍ ସେଠାରେ ନିଜର ଗତିକୁ ଧୀର କରିଥିଲା । ଏହି ସମୟରେ ଅପେକ୍ଷା କରିଥିବା ବ୍ୟକ୍ତିମାନେ କାର୍‌ଟିକୁ ଘେରିଯାଇଥିଲେ । କାର୍‌ରେ ବସିଥିବା ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁ ଓ ତାଙ୍କ ପରିବାରକୁ ନିଜର ପରିଚୟ ଦେଇ ଗାଡ଼ିର ଖାନତଲାସ କରିଥିଲେ । ଗାଡ଼ି ମଧ୍ୟରେ ଛୋଟବଡ଼ ୧୫ଟି ବ୍ୟାଗ୍‌ ରହିଥିଲା ।

ପ୍ରାୟ ୩୦-୪୦ ମିନିଟର ଖୋଜାଖୋଜି ପରେ ବିଭିନ୍ନ ବ୍ୟାଗ୍‌ରୁ ୨ ଲକ୍ଷ ୮୦ ହଜାର ଟଙ୍କାର ୫୦୦ ଟଙ୍କିଆ ତିନିଟି ଅଲଗା ଅଲଗା ବିଡ଼ା ବାହାରିଥିଲା । ‘ଏହି ଟଙ୍କା କେଉଁଠାରୁ ଆଣିଲେ’ ପ୍ରଶ୍ନରେ ସେନେଇ ଥାନା ଆଇଆଇସି ଶ୍ରୀ ସାହୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ କାର୍‌ ସହ ସେମାନଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇଥିଲା। ପ୍ରାୟ ୩ ଘଣ୍ଟା ସେଠାରେ ପଚରାଉଚୁରା କରାଯିବା ସହ ଗାଡ଼ିରେ ଥିବା ଅନ୍ୟ ବ୍ୟାଗ୍‌ଗୁଡ଼ିକୁ ଯାଞ୍ଚ୍‌ କରାଯାଇଥିଲା । ରାତି ସାଢେ଼ ୭ଟା ବେଳେ ମହିଳା ଭିଜିଲାନ୍ସ ଅଧିକାରୀଙ୍କ ସହ ଆଇଆଇସି ଶ୍ରୀ ସାହୁଙ୍କ ପତ୍ନୀ ଓ ସନ୍ତାନଙ୍କୁ ଛାଡ଼ିଦିଆଯାଇଥିଲା। ପରେ ସନ୍ତୋଷ ସାହୁଙ୍କୁ ସିଜର୍‌ ତାଲିକାରେ ସ୍ବାକ୍ଷର କରାଯାଇ ଭୁବନେଶ୍ବର ନିଆଯାଇଥିଲା ।

ସେ ଯେଉଁ କାର୍‌ରେ ଆସୁଥିଲେ ତାହାର ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ହେବ। କାର୍ ସହ, ୨ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଭିଜିଲାନ୍ସ ଏଏସ୍‌ପି ଅକ୍ଷୟ କୁମାର ମିଶ୍ର କହିଛନ୍ତି । ଅପରପକ୍ଷେ, ବ୍ରେନ୍‌ଷ୍ଟ୍ରୋକ୍‌‌ର ଶିକାର ହୋଇଥିବା ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ସେ ଉଧାରରେ ଆଣିଥିବା ଶ୍ରୀ ସାହୁ କହିଥିଲେ । ସୂଚନାଯୋଗ୍ୟ ସନ୍ତୋଷ ସାହୁ ୨୦୦୯ରେ ଏସ୍‌ଆଇ ଭାବେ ଚାକିରିରେ ଯୋଗ ଦେଇଥିଲେ । ୪-୫ ପୂର୍ବେ ପଦୋନ୍ନତି ପାଇ ମୋଟୁ ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ କଟକର ଟ୍ରାଫିକ୍ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।