ପାରଳାଖେମୁଣ୍ଡିର ସୁଶାନ୍ତ ବେହେରାଙ୍କ ଅଜବ ନିଶା । ୨୦ ବର୍ଷରେ ୯୯ଟି ଦେଶର ଟଙ୍କା, ଷ୍ଟାମ୍ପ, ପୋଷ୍ଟକାର୍ଡ ଓ ୭ଶହ ପ୍ରକାର ଦିଆସିଲି ଖୋଳ ସଂଗ୍ରହ

178

କନକ ବ୍ୟୁରୋ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରିସାହିର ସୁଶାନ୍ତ ବେହେରା । ପେଶା ଡ୍ରାଇଭିଂ କିନ୍ତୁ ନିଶା ବିଭିନ୍ନ ଦେଶର ମୁଦ୍ରା ଓ ଷ୍ଟାମ୍ପ ସଂଗ୍ରହ କରିବା । ୨୦ ବର୍ଷରେ ୯୯ଟି ଦେଶର ୭ଶହରୁ ଅଧିକ ମୁଦ୍ରା, ୮ଶହ ପ୍ରକାର ଷ୍ଟାମ୍ପ, ୪ଶହ ପ୍ରକାର ନୋଟ୍, ୭ଶହ ପ୍ରକାର ଦିଆସିଲି ଏବଂ ୬୫୦ ପ୍ରକାର ପୋଷ୍ଟକାର୍ଡ ସଂଗ୍ରହ କରିଛନ୍ତି । ୨୦୦୪ରେ ଖବର କାଗଜ ହକର ଭାବେ କାମ ଆରମ୍ଭ କରି ନିଜ ଖର୍ଚ୍ଚରେ ଏସବୁ ସଂଗ୍ରହ କରିବା ଆରମ୍ଭ କରିଥିଲେ । ବର୍ତମାନ ଡ୍ରାଇଭର ଭାବେ କାମ କରି ପରିବାର ପୋଶିବା ସହ ନିଜ ନିଶାକୁ ବି ଜାରି ରଖିଛନ୍ତି ।

ସୁଶାନ୍ତ ପାଖରେ ଅଛି ୬ଶହ ପ୍ରକାର ଭାରତୀୟ ମୁଦ୍ରା, ୭୫୦ ପ୍ରକାର ଷ୍ଟାମ୍ପ ଓ ୩୫୦ ପ୍ରକାର ନୋଟ୍ । ଉଭୟ ପରାଧିନ ଭାରତ ଓ ସ୍ୱାଧୀନ ଭାରତର ମୁଦ୍ରା, ନୋଟ୍ ଓ ଷ୍ଟାମ୍ପ ସଂଗ୍ରହ କରି ପରପିଢିଙ୍କୁ ଅବଗତ କରାଇବା ଉଦେଶ୍ୟ ରଖିଛନ୍ତି । ଏସବୁ ସଂଗ୍ରହ କରିବା ପାଇଁ ସେ ଖବର କାଗଜ ବିକିବା ଠାରୁ ଆରମ୍ଭ କରି ପାଣି ଯୋଗାଣ ଯାଏଁ କାମ କରିଛନ୍ତି । ଆଉ ଏଥିରେ ତାଙ୍କ ଭାଇ ଓ ବାପା ସହଯୋଗ କରିଛନ୍ତି । ସାଙ୍ଗସାଥୀ ଓ ସଂପର୍କୀୟ ସୁଶାନ୍ତ ଏଭଳି ନିଆରା ପ୍ରୟାସକୁ ଖୁବ୍ ପ୍ରସଂଶା କରିଛନ୍ତି ।

ତେବେ ଜଣେ ଯୁବକଙ୍କ ଏଭଳି ଉଦ୍ୟମକୁ ପ୍ରୋତ୍ସାହିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଗଲେ, ଆଗାମୀ ପିଢି ଏବାବଦରେ ଜାଣିପାରନ୍ତେ ।